ଦୁର୍ଘଟଣାରେ ଦୁଇ ଛାତ୍ର୍ରଙ୍କ ପ୍ରାଣ ଗଲା

ରେମୁଣା,୧୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ନିକଟ ମେଗା ଫୁଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଇଞ୍ଚୁଡି ଗଁାର ଜଗବନ୍ଧୁ ମହାଳିକଙ୍କ ପୁଅ ଚନ୍ଦ୍ରକାନ୍ତ (୨୨) ଏବଂ ରସାଳପୁରର ଗଦାଧର ମହାଳିକଙ୍କ ପୁଅ ଲମ୍ବୋଦର (୨୦)। ଏହି ଦୁଇ ଛାତ୍ର କୁରୁଡ଼ା ଜ୍ୟୋତି ହସ୍ପିଟାଲ ନିକଟସ୍ଥ ଓଡ଼ିଶା ପଲିଟେକ୍‌ନିକ କଲେଜରେ ପାଠ ପଢୁଥିଲେ। ଉଭୟେ ଏକ ବାଇକ୍‌(ନଂ. ଓଆର୍‌୦୧ଡି-୬୬୪୫) ଯୋଗେ ଖନ୍ତାପଡ଼ାସ୍ଥିତ ଜୟପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ କୌଣସି କାମରେ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଏକ ଡମ୍ପର (ନଂ. ଓଡ଼ି୦୧ଡ଼ି-୫୦୩୩) ହଠାତ୍‌ ତାଙ୍କୁ ଓଭରଟେକ କରି ବାମପଟକୁ କାଟି ଦେବାରୁ ସେମାନେ ଡମ୍ପର ଚକ ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ଲମ୍ବୋଦରଙ୍କ ମୃତ୍ୟୁ ହୋଇଯାଇଥିଲା। ଚନ୍ଦ୍ରକାନ୍ତଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ସେ ଆଖିବୁଜି ଦେଇଥିଲେ। ଡମ୍ପର ଚାଳକ ସେଠାରୁ ଖସି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ବାଇକ୍‌ ଓ ଡମ୍ପରକୁ ଥାନାରେ ରଖିଛି। ଏନେଇ ଖନ୍ତାପଡ଼ା ଥାନାରେ ଏକ ମାମଲା (ନଂ. ୩୨୨/୧୯) ରୁଜୁ ହୋଇ ତଦନ୍ତ ଜାରି ରହିଛି।