ଦୁର୍ଘଟଣା ନେଲା ହତ୍ୟାକାଣ୍ଡ ରୂପ:ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଲେ ଗ୍ରାମବାସୀ

ଭୋଗରାଇ, ୩୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦାହୁଣଦା ଗ୍ରାମରେ ଶନିବାର ରାତିରେ ଘଟିଥିବା ଦୁର୍ଘଟଣାଜନିତ ଲଙ୍କାକାଣ୍ଡ ରବିବାର ପୋଲିସର ହସ୍ତକ୍ଷେପ ପରେ ପ୍ରଶମିତ ହୋଇଛି। ଏହି ଗ୍ରାମର ସାଇକେଲ ଆରୋହୀ ଶଶୀକାନ୍ତ ଦାସ (୬୨)ଙ୍କୁ ତାଙ୍କ ପୁତୁରା ଘନଶ୍ୟାମ ଦାସ ଡମ୍ପର ଚଳାଇ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ପରେ ଅଭିଯୋଗକାରୀଙ୍କ ସହ ଉତ୍ତ୍ୟକ୍ତ ଗ୍ରାମବାସୀ ଡମ୍ପର ମାଲିକଙ୍କ ୮ଟି ଗାଡି ସହ ତାଙ୍କ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଶନିବାର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାବେଳେ ଶଶୀକାନ୍ତଙ୍କ ଶବକୁ ରବିବାର ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ରବିବାର ଶବ ଗ୍ରାମକୁ ଫେରିବା ପରେ ଗ୍ରାମବାସୀ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ସାହୁଛକଠାରେ ଟାୟାର ଜାଳି ଘଣ୍ଟାଏ ରାସ୍ତାରୋକୋ କରିଥିଲେ। ଅବିଳମ୍ବେ ହତ୍ୟାକାରୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ହତ୍ୟାକାରୀ ଜବରଦଖଲରେ ରଖିଥିବା ଗ୍ରାମର ଗୋଚର ଜାଗାକୁ ଖାଲି କରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବି ନେଇ ଶତାଧିକ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ଜଳେଶ୍ୱର ଏସ୍‌ଡ଼ିପିଓ ସୁଦର୍ଶନ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ।