ଦୁର୍ଦ୍ଦିନରେ କରତକଳ ଶ୍ରମିକ

ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର ଏବେ ଜୀବନଜୀବିକା ସଂକଟରେ। ଜିଲାରେ କରତକଳ ବନ୍ଦ ହେବା ପରଠାରୁ ସେମାନେ କାମଧନ୍ଦା ହରାଇ ଆର୍ଥିକ ଅନଟନ ମଧ୍ୟରେ କାଳ କାଟୁଛନ୍ତି। ସେମାନଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାରମ୍ବାର ଦାବି କରି ଶେଷରେ ରାସ୍ତାକୁ ଓହ୍ଳାଇଛନ୍ତି। ଶୁକ୍ରବାର ବିଭିନ୍ନ କରତକଳରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରଥିଲେ।
ଉଲ୍ଲେଖନୀୟ ଯେ, ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟ ୧୯୮୦-୮୧ ଅନୁଯାୟୀ ବାଲେଶ୍ୱର ଜିଲାରେ ୧୪ଟି କରତକଳକୁ ଅନୁମତି ମିଳିଥିଲା। ୧୯୯୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲରୁ ୧୦କି.ମି. ପରିସରରେ କୌଣସି ସ’ମିଲ୍‌କୁ ଅନୁମତି ଦିଆ ନ ଯିବାରୁ ୨୦୦୨ରେ କୌଣସି ସ’ମିଲ୍‌କୁ ସରକାର ଅନୁମତି ଦେଇ ନ ଥିଲେ। ତେବେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଆଖି ରାଜ୍ୟ ସରକାର ୨୦୧୧ରେ ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟର (ଇଣ୍ଡଷ୍ଟ୍ରିଆଲ ଆକ୍ଟ) ଅନୁଯାୟୀ ପ୍ରତ୍ୟେକ ଜିଲାରେ ୨ଟି କରି ସ’ ମିଲ୍‌ ଖୋଲିବା ପାଇଁ ଅନୁମତି ଦେଇଥିଲେ। ତଦନୁଯାୟୀ ଜିଲାରେ ପଣପଣାରେ ୨ଟି ଓ ସୋମନାଥପୁରରେ ୪ଟି ସ’ ମିଲ୍‌ ଖୋଲିଥିଲା। ଜିଲାରେ ପୂର୍ବରୁ ଚାଲୁଥିବା ୬୦ରୁ ଉର୍ଦ୍ଧ୍ୱ ସ’ ମିଲ୍‌ ବନ୍ଦ ହୋଇ ପଡ଼ିଥିବା ବେଳେ ଏଥିରେ କାର୍ଯ୍ୟରତ ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ବୃତ୍ତି ହରାଇ ସେବେଠାରୁ ଦୁର୍ଦ୍ଦିନକୁ ସାମ୍ନା କରିଆସୁଛନ୍ତି। ଏଥିସହିତ କାଠ ଶିଳ୍ପ ସହିତ ଜଡ଼ିତ କାଠ ମିସ୍ତ୍ରି, ରାଜ ମିସ୍ତ୍ରି, ଡେକୋରେଟରଙ୍କୁ ସରକାରୀ କଟକଣା ଯୋଗୁ ନାହଁି ନ ଥିବା ଅସୁବିଧା ଭୋଗିବାକୁ ପଡୁଛି। କାଠଶିଳ୍ପ ବନ୍ଦ ହେବାରୁ କୁକୁଡ଼ା ଫାର୍ମରେ ଆବଶ୍ୟକ ପଡୁଥିବା କାଠଗୁଣ୍ଡ ଏବେ ମିଳୁନାହିଁ। କାମଧନ୍ଦା ହରାଇଥିବା କରତକଳ ଓ କାଠଶିଳ୍ପ ଶ୍ରମିକମାନେ ଏବେ ପରିବାର ଭରଣପୋଷଣ କରି ନ ପାରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏ କୌଣସି ନ୍ୟାୟ ପାଇ ନ ଥିବା କହିଛନ୍ତି। ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯାଉ ବୋଲି ଶ୍ରମିକ ରବୀନ୍ଦ୍ର କୁମାର ସାମଲ, ସନାତନ ଦାସ, ନବକିଶୋର ବାରିକ, ସୁରେନ୍ଦ୍ର ସେଠୀ, ବାପି ପାଳ, ସନାତନ ସେଠୀ, କିଚକ ସିଂ, ରୁଲା ସିଂ, ଅରୁଣ ପ୍ରଧାନ, ସୁଦର୍ଶନ ଦେହୁରୀଙ୍କ ତତ୍ତ୍ୱାବଧାନରେ ଶତାଧିକ ଶ୍ରମିକ ଦାବି ଉପସ୍ଥାପନ କରିଛନ୍ତି।