ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ ଏହା ଗଛରେ ହିଁ ନଷ୍ଟ ହେଉଛି। ଏହାକୁ ନେଇ କିଆ ଫୁଲ ଚାଷୀ ଏକ ପ୍ରକାର ଦୁର୍ଦ୍ଦିନରେ ରହୁଛନ୍ତି। ଚାଷୀ କାମରାଜୂ ବର୍ମା ଓ ଗୁରୁଦେବ ବେହେରା ପ୍ରମୁଖ ଏକ ଭିଡିଓ ଜାରି କରି କିଆ ଫୁଲ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଗଞ୍ଜାମ ଜ଼ିଲାପାଳଙ୍କୁ ନିବେଦନ କରିଛନ୍ତି। କିଆ ଫୁଲ ଭାଟି ବନ୍ଦ ହୋଇଯାଇଥିବାରୁ କିଆ ଫୁଲ ବିକ୍ରି କରି ନ ପାରି ଚାଷୀଙ୍କୁ ନିଜ ପରିବାର ସଦସ୍ୟଙ୍କୁ ଦୁଇ ମୁଠା ଖାଇବାକୁ ଦେବାପାଇଁ କଷ୍ଟକର ହୋଇପଡଥିବା ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଜିଲାର ଛତ୍ରପୁର ଓ ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ଗାଁ ରେ କିଆ ଫୁଲ ଚାଷ କରି ଲୋକେ ପରିବାର ଚଳାଇଥାନ୍ତି। ଚାଷୀ ମାନେ ଦୈନିକ କିଆଫୁଲ ତୋଳି ଘର ପାଖକୁ ଆଣିଥାନ୍ତି। ବେପାରୀ ଚାଷୀଙ୍କ ଘରକୁ ଆସି ଫୁଲ କିଣି ଏହି ବାବଦରେ ଟଙ୍କା ଦେଇଥାନ୍ତି। ପରେ ଏହି ଫୁଲ ଭାଟିକୁ ଯାଇଥାଏ । ସେଠାରେ ଏହାକୁ ରନ୍ଧା ଯାଇ ଏସେନ୍ସ ବାହାର କରାଯାଏ। ଏହାକୁ ଦେଶର ବିଭିନ୍ନ ସ୍ଥାନକୁ ରପ୍ତାନୀ ହୋଇଥାଏ। ତେବେ ବିଶେଷକରି ଅତର, ପାନ ମସଲା ଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ।