Categories: ଭଦ୍ରକ

ଦୁର୍ଦ୍ଦିନରେ ଦିବାକରଙ୍କ ପରିବାର

ତିହିଡ଼ି, ୮।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଗ୍ରାମର ପାଲାଗାୟକ ଦିବାକର ଜେନାଙ୍କ ପରିବାର ଦୟନୀୟ ଜୀବନ ବିତାଉଛନ୍ତି। ଘରର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ରାଶନ କାର୍ଡ ହିଁ ତାଙ୍କ ପରିବାର ପାଇଁ ଏକମାତ୍ର ଭରସା। ସେହିପରି ବିଭିନ୍ନ ସମୟରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଦିବାକରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିପାରି ନାହିଁ। ଘର ଚାଳ ଛପର କରିବାକୁ ତାଙ୍କର ସାମର୍ଥ୍ୟ ନ ଥିବାରୁ ପଲିଥିନ ଢାଙ୍କି ପରିବାର ରହୁଛନ୍ତି। ଚାଳଛପର ଘର ଖଣ୍ଡିଏକୁ ଛାଡ଼ି ଦେଲେ ଜମିବାଡ଼ି ସେମିତି କିଛି ନାହିଁ। ଦୁର୍ଦ୍ଦିନରେ ତାଙ୍କ ଅସହାୟ ପରିବାର ଜୀବନ ବିତାଉଥିବାବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ସେ ପ୍ରକାଶ କରିଛନ୍ତି।
ଦିବାକର କହନ୍ତି, ଦୀର୍ଘ ୨୦ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଆସୁଛନ୍ତି। ପ୍ରଥମେ ପାଳିଆ ଭାବେ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା। ପରେ ସେ ଗାୟକ କଳା ହାସଲ କରି କେତେଜଣ ସହଯୋଗୀଙ୍କୁ ନେଇ ପାଲା ଗାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ପାଲାର ଆଦର କମିଯାଇଥିବାରୁ ତାଙ୍କୁ ସେମିତି ଆଉ ପାଲା ଗାଇବାକୁ ସୁଯୋଗ ମିଳୁନି। ଫଳରେ ତାଙ୍କର ରୋଜଗାରର ପନ୍ଥା ଏକପ୍ରକାର ବନ୍ଦ ହୋଇଯାଇଛି। ଦୃଷ୍ଟିହୀନ ମା’, ସ୍ତ୍ରୀ, ଦୁଇପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ସେ ପାଲା ଗାଇ ଯାହା ରୋଜଗାର କରିଥିଲେ ସେଥିରେ ବଡ଼ଝିଅର ବିବାହ ସାରି ଦେଇଛନ୍ତି। ବଡ଼ପୁଅ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇ କାମ କରୁଛନ୍ତି। ସାନଝିଅ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଅନ୍ୟ ଏକ ପୁଅ ଅଳ୍ପ ପାଠ ପଢ଼ି ବେକାର ଅଛନ୍ତି। ମା’ ମାତାଜୀ(୮୬) ଦୃଷ୍ଟିହୀନ। ତାଙ୍କ ଭୋଟ ପରିଚୟପତ୍ରରେ ବୟସଜନିତ ତ୍ରୁଟି ଯୋଗୁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ପରିଚୟପତ୍ର ସଂଶୋଧନ ପାଇଁ ବିଭିନ୍ନ ସମୟରେ ଦିବାକର ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏହାଛଡ଼ା ୫୦ ବର୍ଷ ଟପିଥିଲେ ମଧ୍ୟ ତାଙ୍କୁ କଳାକାର ଭତ୍ତା ଅଦ୍ୟାବଧି ମିଳିପାରି ନାହିଁ। ରାଶନ କାର୍ଡରେ ମିଳୁଥିବା ଚାଉଳ ତାଙ୍କ ପରିବାର ଲାଗି ସାହା ଭରସା ହୋଇଛି। ଏହା ଯଥେଷ୍ଟ ହେଉ ନ ଥିବାରୁ ଗୋଟେ ଓଳି ଖାଇଲେ ଆଉ ଗୋଟେ ଓଳି ପରିବାର ଲୋକଙ୍କୁ ଉପାସ ରହିବାକୁ ପଡୁଛି। ଏଭଳି ସ୍ଥିତିରେ ତାଙ୍କୁ କଳାକାର ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଦିବାକର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଛନ୍ତି, ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଫଟୋ-