ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ବାରିପଦା,୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଚାଷୀଙ୍କୁ କୁଇଣ୍ଟାଲ ପିଛା ଧାନର ଏମ୍‌ଏସ୍‌ପି ୩୧ଶହ ଟଙ୍କା ପ୍ରଦାନ ବ୍ୟବସ୍ଥା ନେଇ ମନ୍ତ୍ରୀ ଆଲୋଚନା କରିଥିଲେ। ମଧ୍ୟାହ୍ନଭୋଜନ ପାଇଁ ଦିଆଯାଉଥିବା ଚାଉଳ ବସ୍ତାରେ କମ୍‌ ପରିମାଣ ରହିବା ଓ ଅନିୟମିତତା ଅଭିଯୋଗକ୍ରମେ ଜିଲାରେ ଥିବା ଚାଉଳ ମିଲ୍‌ଗୁଡ଼ିକ ସେ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜିଲାରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନଭୋଜନ ଚାଉଳ ବସ୍ତାରେ କମ୍‌ ପରିମାଣକୁ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାନସଭା ଗୃହରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜିଲା ଗସ୍ତରେ ଆସି ଶନିବାର ଶୁଳିଆପଦାସ୍ଥିତ ଏସ୍‌ଏସ୍‌ଏମ୍‌ ଚାଉଳ ମିଲ୍‌ରେ ପହଞ୍ଚତ୍ ଅନୁଧ୍ୟାନ କରିଥିଲେ। ଚାଉଳ ବସ୍ତା ପ୍ରତି ୫୦ କେଜି ବଦଳରେ କମ୍‌ ପରିମାଣର ଚାଉଳକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ଗୋଟିଏ ବି ଦାନା ଚୋରି ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ପରେ ମନ୍ତ୍ରୀ ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଆଗାମୀ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଟୋକନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ଧାନର ଏମ୍‌ଏସ୍‌ପି ୩୧ଶହ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅଭିଯୋଗ କିମ୍ବା ସମସ୍ୟା ଦେଖାଦେଲେ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳକୁ ନେଇ ପ୍ରକୃତ ହିତାଧିକାରୀଙ୍କ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। କଓ୍ବୋଇସି ମାଧ୍ୟମରେ ଚାଉଳ କାର୍ଡର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରକୃତ ହିତାଧିକାରୀଙ୍କୁ ଏହି ସବୁିଧା ଯୋଗାଇ ଦିଆଯିବ। ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ତ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Share