ଦୁର୍ନୀତିଗ୍ରସ୍ତଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ: ୬ ଅଫିସର ବିଦା; ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ ବନ୍ଦ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ସୁବିଧା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ଉପରୋକ୍ତ ସମସ୍ତ ଅଧିକାରୀ ଭିନ୍ନ ଭିନ୍ନ ମାମଲାରେ ରାଜ୍ୟ ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ସପ୍ତାହ ପୂର୍ବେ ମୁଖ୍ୟମନ୍ତ୍ରୀ ଅନୁରୂପ ଭାବେ ୧୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହିତ ୨ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ ୨୧ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିବାବେଳେ ୬ ଜଣଙ୍କ ପେନ୍‌ସନ୍‌ ବନ୍ଦ ରଖାଯାଇଛି।

ସଦ୍ୟ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଉଛନ୍ତି ସୁନ୍ଦରଗଡ ଜିଲା କୁଅଁାରମୁଣ୍ଡା ତହସିଲର କନିଷ୍ଠ କିରାଣି ସଞ୍ଜିତ କୁମାର ରାୟ। ସେ ପୂର୍ବରୁ ରାଉରକେଲା ଆରଟିଓ ଅଫିସରେ ମଧ୍ୟ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିଛନ୍ତି। ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। ସେ ବର୍ତ୍ତମାନ କୋରାପୁଟ ଜିଲା ଜୟପୁର ଆଇଟିଡିଏରେ କାର୍ଯ୍ୟରତ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଭେଟେନାରୀ ଡାକ୍ତର ଭାଗୀରଥି ବିଶ୍ୱାଳ। ସେ ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ଥିଲେ। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଢେଙ୍କାନାଳ ଜିଲା କାମାକ୍ଷାନଗରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ସୁନ୍ଦରଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ଅଧୀନ କୁତ୍ରା ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ୍‌ ଏବଂ ବଣାଇଗଡ ବ୍ଲକର ପଞ୍ଚାୟତ କାର୍ଯ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ପେନ୍‌ସନ୍‌ ବନ୍ଦ କରାଯାଇଥିବା ୪ ଅଫିସର ହେଲେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ମୁଖ୍ୟ ଯନ୍ତ୍ରୀ ତଥା କାର୍ଯ୍ୟାଳୟର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ରବୀନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ମହାନ୍ତି। ସେହିପରି ବିଭିନ୍ନ ଅଧିକାରୀଙ୍କ ବିରୋଧରେ ଥିବା ମାମଲାଗୁଡିକର ତଦନ୍ତ ସହ ତର୍ଜମା ଜାରି ରହିଛି। ତେଣୁ ଆଗକୁ ମଧ୍ୟ ବରଖାସ୍ତ ଅଧିକାରୀଙ୍କ ତାଲିକା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Share