ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଛି ବିଜେଡି: ଭାଜପା

ଭୁବନେଶ୍ୱର,୩୦।୪(ବ୍ୟୁରୋ): ୨୨ବର୍ଷ ଶାସନ ଗାଦିରେ ରହି ରାଜ୍ୟ ସରକାର ଦୁର୍ନୀତିର ସୀମା ଉଲ୍ଲଂଘନ କରିଛନ୍ତି। ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା କରି ବ୍ଲକଗୁଡିକରେ ବ୍ୟାପକ ଦୁର୍ନୀତି କରୁଛନ୍ତି। ଦୁର୍ନୀତିରେ ସିଧାସଳଖ ଲିପ୍ତ ଥିବା ସରକାରୀ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ସହିତ ପରବର୍ତ୍ତୀ ସମୟରେ ଦଳୀୟ କାର୍ଯ୍ୟରେ ଶାସକ ଦଳ ବ୍ୟବହାର କରୁଛି ବୋଲି ଭାଜପା ନେତା ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବଳଭଦ୍ର କହିଛନ୍ତି, ନନ୍ଦାହାଣ୍ଡି ପଞ୍ଚାୟତ ସମିତିରେ ୧ କୋଟି ୪ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ପଞ୍ଚାୟତ ବିଭାଗର ସ୍ପେଶାଲ ଅଡିଟରେ ଧରାପଡ଼ିଥିଲା। ଏହି ଦୁର୍ନୀତିରେ ଜଣେ ବିଧାୟକ ସମ୍ପୃକ୍ତ ଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ନନ୍ଦାହାଣ୍ଡି ବ୍ଲକର କିରାଣି ଏବଂ ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି ମାମଲା ରହିଛି। ଏହି ଟଙ୍କା ତାଙ୍କଠାରୁ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ଟଙ୍କା ଆଦାୟ କରାଯାଇ ନାହିଁ। ତାଙ୍କ ବିରୋଧରେ ୨୦୦୯ ମସିହାରେ କୌଣସି ବକେୟା ନାହିଁ ଏବଂ ଏହି ଅଭିଯୋଗକୁ ଅଣଦେଖା କରାଯାଉଥିବା କେଉଁ ଆଧାରରେ ବୋଲି ବଳଭଦ୍ର ପ୍ରଶ୍ନ କରିଛନ୍ତି।

Share