ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମଣ୍ଡଳସ୍ତରୀୟ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଦଳୀୟ ନେତୃବୃନ୍ଦ।
ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ସମୀକ୍ଷା କଲେ ପରଜଙ୍ଗ ଜିଲାରେ ପ୍ରଥମ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଆର୍ଥିକ ସ୍ବଚ୍ଛଳ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଜିଆରଏସ୍‌ମାନେ ଅଣଶ୍ରମିକଙ୍କୁ ଶ୍ରମଜୀବୀ ଦର୍ଶାଇ ବ୍ୟାପକ ଅର୍ଥ ହେର୍‌ଫେର କରୁଛନ୍ତି। ଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ୍‌ ସେବା ପ୍ରଦାନରେ ପ୍ରଶାସନ ବିଫଳ ହୋଇଛି। କନ୍ତରୁ ପଞ୍ଚାୟତରେ ଅବିବାହିତଙ୍କୁ ବିବାହିତା ଦର୍ଶାଇ ରାସନ କାର୍ଡ ଦିଆଯାଇଛି। ଧାନକିଣା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି। କୁଆଳୋ, କଲଦା, ପିତିରି, କଙ୍କଡାସୋଡ଼ା, ଆମ୍ବପଳାସ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ ପାଣିର ଗାର ପାଲଟିଛି। ରେଙ୍ଗାଳି ବାମ କେନାଲରେ ନିର୍ମିତ ବୃହତ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇପଡ଼ିଛି। ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବ୍ଲକ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ଥିବା ଭାଜପା ନେତାମାନେ କହିଛନ୍ତି। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି କୁଆଲୋ-ବଡ଼ଝରା କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର, ପ୍ରସ୍ତାବିତ ପରଜଙ୍ଗ ଏନ୍‌ଏସିରେ ମୁଣ୍ଡେଇଲା ପଞ୍ଚୟତକୁ ସାମିଲ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ ପୂର୍ବତନ ଜିଲା ସଭାପତି ବିଭୂତି ପ୍ରଧାନ, ଦୁର୍ଗାପ୍ରସାଦ ସାହୁ, ଦୟାନିଧି ସାହୁ, ରମେଶ ସାହୁ, ଲଷ୍ମୀଧର ସାହୁ, ଦୁର୍ଗାଚରଣ ନାୟକ, ରବିନାରାୟଣ ଜେନା, ଜଗନ୍ନାଥ ଗଡ଼ନାୟକ, କମଳଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।