Categories: ଖେଳ

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ କାରଣରୁ ସେ ନିଜ ପଦ ଛାଡିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଏହି ଦୁଇଟି ଅଭିଯୋଗ ନେଇ ପ୍ରାମାଣିକ ଚଳଚ୍ଚିତ୍ର କରାଯାଇଥିଲା। ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓ୍ବେଟଲିଫ୍‌ଟିଙ୍ଗ୍‌ ପାଇଁ କାର୍ଯ୍ୟ କରିଆସିଥିବାରୁ ଟାମାସଙ୍କୁ ଆଇଡବ୍ଲ୍ୟୁଏଫ୍‌ ତରଫରୁ ଧନ୍ୟବାଦ ଜଣାଯାଇଛି। ଟାମାସଙ୍କୁ ପ୍ରଶଂସା କରି ଆଇଡବ୍ଲ୍ୟୁଏଫ୍‌ କାର୍ଯ୍ୟକାରୀ ସଭାପତି ଉର୍ସୁଲା ପପାନଡ୍ରିଆ ଫେଡେରେଶନ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ଏକ ନୂଆ ଉତ୍ସାହରେ ଆମେ କାର୍ଯ୍ୟ କରିବା ଆରମ୍ଭ କରିବୁ ବୋଲି ସେ କହିଛନ୍ତି।
ଗତ ଜାନୁୟାରୀରେ ଜର୍ମାନୀ ବ୍ରୋଡକାଷ୍ଟର ଏଆରଡି ଟାମାସଙ୍କ ବିରୋଧରେ ଏକ ରିପୋର୍ଟରେ ଦୁର୍ନୀତ ଅଭିଯୋଗ ଆଣିଥିଲା। ଡୋପିଂ ନିୟମ ଉଲ୍ଲଂଘନ ପାଇଁ ଡୋପିଂ କଣ୍ଟ୍ରୋଲରଙ୍କୁ ଅର୍ଥ ଦିଆଯାଇଥିଲା। ପରିସ୍ରା ନମୁନାକୁ ଚତୁରତାର ସହ ମାନୁପୁଲେଟ ବା କଦର୍ଥ କରି ଡୋପିଂ ପରୀକ୍ଷା ପାଇଁ ଦିଆଯିବାକୁ ପ୍ରୟାସ କରାଯିବାର ଅଭିଯୋଗ ଆସିଥିଲା। ୮୧ ବର୍ଷୀୟ ହଙ୍ଗେରୀ ଅଧିବାସୀ ଆଜାନ ୧୯୭୬ରୁ ଆଇଡବ୍ଳ୍ୟଏଫ୍‌ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଗତ ୨୦ ବର୍ଷ ହେବ ସେ ଆଇଡବ୍ଲ୍ୟୁଏଫ୍‌ର ଅଧ୍ୟକ୍ଷ ଦାୟିତ୍ୱରେ ରହିଆସିଥିଲେ। ଏହାକୁ ବାଦ୍‌ ଦେଲେ ୫ ମିଲିୟନ ଆମେରିକୀୟ ଡଲାର ଅର୍ଥ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ପାଣ୍ଠିରୁ ନେଇ ଚତୁରତାର ସହ ଦୁଇଟି ସୁଇସ୍‌ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା ନେଇ ମଧ୍ୟ ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି।
ତେବେ ମୋତେ ଏହି ମାମଲାରେ ଫସାଇଦିଆଯାଇଛି ବୋଲି ଆଜାନ କହିଛନ୍ତି। ଏହି ପ୍ରାମାଣିକ ଚଳଚ୍ଚିତ୍ର ମୋର ୫୦ ବର୍ଷର କ୍ୟାରିୟରକୁ କଳଙ୍କିତ କରିଛି। ଯେତେଦିନ ମୋତେ ସୁଯୋଗ ମିଳିଛି ସେତେଦିନ ସୂଚାରୁ ରୂପେ ଦାୟିତ୍ୱ ସମ୍ଭାଳିଛି। କୋଭିଡ୍‌-୧୯ ସମସ୍ୟା ଶେଷ ହେବା ପରେ ନିର୍ବାଚନ ହେବ ଓ ନୂଆ ତଥା ଦକ୍ଷ ଲୋକ ଦାୟିତ୍ୱ ସମ୍ଭାଳି ଫେଡେରେଶନ ଆହୁରି କାର୍ଯ୍ୟକ୍ଷମ କରାଇବେ ବୋଲି ଆଜାନ କହିଛନ୍ତି।

Share