Categories: ବାଣିଜ୍ୟ

ଦୁର୍ନୀତି ଜଣାଇବାରେ ବିଳମ୍ବ;୯ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଜରିମାନା

ମୁମ୍ବାଇ,୪-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୯ ବାଣିଜି୍ୟକ ବ୍ୟାଙ୍କଠାରୁ ଜରିମାନା ଆଦାୟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଏସ୍‌ବିଆଇ) ନିର୍ଦ୍ଦେଶ ଦେଇଛି। ବିଭିନ୍ନ ଦୁର୍ନୀତି,ଜାଲିଆତି, ଠକାମୀ ସମ୍ପର୍କରେ ଠିକ୍‌ ସମୟରେ କେନ୍ଦ୍ରୀୟ ବ୍ୟାଙ୍କକୁ ସୂଚନା ଦେଇ ନ ଥିବାରୁ ଏହି ଜରିମାନା ଆଦାୟ ନିର୍ଦ୍ଦେଶ ଦିଆଯାଇଛି। କିଙ୍ଗ୍‌ଫିଶର ଏୟାରଲାଇନ୍ସର ଋଣ ଜାଲିଆତି ସମ୍ପର୍କରେ ବିଳମ୍ବରେ ସୂଚନା ଦେବା କାରଣରୁ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କା ଜରିମାନା ଆଦାୟ ଆଦେଶ ଦିଆଯାଇଛି। ସମାନ ଅଭିଯୋଗରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସଠାରୁ ୧.୫ କୋଟି ଟଙ୍କା ଜରିମାନା ଆଦାୟ ହେବ। ଆର୍‌ବିଆଇ ନିର୍ଦ୍ଦେଶ ପାଇବାର ୧୪ ଦିନ ଭିତରେ ଜରିମାନା ଅର୍ଥ ଦାଖଲ କରିବାକୁ ହେବ। ଏହାଛଡ଼ା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କକୁ ୧ କୋଟି ଲେଖାଏ, ଏସ୍‌ବିଆଇକୁ ୫୦ ଲକ୍ଷ, ବ୍ୟାଙ୍କ ଅଫ୍‌ ବରୋଦା ଓ ଫେଡେରାଲ ବ୍ୟାଙ୍କକୁ ୫୦ ଲକ୍ଷ ଲେଖାଏ, କର୍ପୋରେଶନ ବ୍ୟାଙ୍କକୁ ୧ କୋଟି, ଆଲ୍ଲାହାବାଦ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରକୁ ୨ କୋଟି ଟଙ୍କା ଲେଖାଏ ଜରିମାନା କରାଯାଇଛି। ଠକେଇ, ଜାଲିଆତି ଜଣାଇବା ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକର ଜବାବ ସନ୍ତୋଷଜନକ ନ ଥିଲା ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share