ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ: ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ, ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ସେମାନଙ୍କ ପେନସନ୍‌ ସୁବିଧାକୁ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ୬ ଅଧିକାରୀ ହେଲେ ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ରନାରାୟଣ, ଅବସରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡ଼ା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ବ୍ରଜ ସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ବାଇଁ ଓ ସମ୍ବଲପୁର ରାସ୍ତା ଓ କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ ଅଧିକାରୀ ହେଲେ କଳାହାଣ୍ଡି ଜିଲା କୋକସରା ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସେନପୁର ଜିଲା ବୀରମହାରାଜପୁର ତହସିଲର ରେଭିନ୍ୟୁ ଇନ୍ସପେକ୍ଟର ଅରୁଣ କୁମାର ପୁରୋହିତ। ଏହି ଦୁଇ ଅଧିକାରୀ ବହୁବାର ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ୍‌ ଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ଅଗଷ୍ଟରୁ ଏଯାବତ୍‌ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Share