ଦୁର୍ବଳ ଅର୍ଥନୀତି ମୁକାବିଲା : ଖଣି ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର

ଭୁବନେଶ୍ୱର,୯ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତିକୁ ଦେଖି ବିଭିନ୍ନ ରାଜ୍ୟ ପଦକ୍ଷେପ ନେବାକୁ ଆରମ୍ଭ କଲେଣି। ଜାତୀୟସ୍ତରରେ ଅଟୋମୋବାଇଲ, ହସ୍ତତନ୍ତ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ବର୍ତ୍ତମାନ ସିମେଣ୍ଟ ଶିଳ୍ପ ମଧ୍ୟ ଦୁର୍ବଳ ଅର୍ଥନୀତି ଦ୍ୱାରା ପ୍ରଭାବିତ ହେବା ଆରମ୍ଭ କରିଛି। ଓଡ଼ିଶାରେ ଏସବୁ କ୍ଷେତ୍ରରେ ବୃହତ କାରଖାନା ନ ଥିବାରୁ ଏହାର ପ୍ରଭାବ ଏତେଟା ଅନୁଭୂତ ହେଉନାହିଁ। ହେଲେ ଓଡ଼ିଶାର ଅନେକ ଯୁବତୀଯୁବକ ତଥା ଶ୍ରମଶକ୍ତି ବାହାର ରାଜ୍ୟରେ ପ୍ରଭାବିତ ହୋଇଥିବା ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ମାତ୍ର ଏଭଳି ମାନ୍ଦାବସ୍ଥା ପରେ ତାମିଲନାଡୁ, ମହାରାଷ୍ଟ୍ର ଏବଂ ଗୁଜରାଟରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଓଡ଼ିଶା ମୁହଁା ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟ ସରକାର ଏହି ପରିସ୍ଥିତିରେ ମଧ୍ୟ ନିଜସ୍ବ ରାଜସ୍ବ ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ନିକଟରେ ଏ ନେଇ ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ରୀୟ ଟ୍ୟାକ୍ସ ଅଧିକାରୀ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିବା ଜଣାପଡିଛି। ହେଲେ ଖଣିଜ ସମୃଦ୍ଧ ଥିବା ଓଡ଼ିଶା ଦୁର୍ବଳ ଅର୍ଥନୀତି ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ରାଜ୍ୟ ସରକାରଙ୍କ ଜନୈକ ଅର୍ଥ ବିଭାଗ କର୍ମଚାରୀଙ୍କ କହିବାନୁଯାୟୀ, ସରକାର ଖଣି ଲିଜ୍‌ରୁ ୧୮ ପ୍ରତିଶତ ରୟାଲଟି ସଂଗ୍ରହ କରିବା ପାଇଁ ଚିନ୍ତା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କେତେକ କମ୍ପାନୀ ୫ ପ୍ରତିଶତ ହାରରେ ଟିକସ ଦେଇଥିବାବେଳେ କେତେକ ଆଦୌ ଦେଇନାହାନ୍ତି। କେବଳ ଖଣିଜ କ୍ଷେତ୍ରରୁ ରାଜ୍ୟ ସରକାର ୪୦୦ରୁ ୫୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।