ଦୁର୍ବଳ ବନ୍ଧ ପାଇଁ ଭୟ,୩ ସ୍ଥାନରେ ରାସ୍ତା ଉପରେ ପାଣି

ବାଙ୍କୀ/ତିଗିରିଆ, ୧୫ା୮ (ସ୍ବ.ପ୍ର./ ଡି.ଏନ୍‌.ଏ.): ମହାନଦୀରେ ବନ୍ୟାଜଳ ବୁଧବାର ପ୍ରବାହିତ ହୋଇ ବାଙ୍କୀଠାରେ ଅପରାହ୍ନ ୪ଟାରେ ୭.୭୦ମିଟର ଥିବା ଲକ୍ଷ୍ୟ କରାଯାଇଥିଲା। ଏଠାରେ ବିପଦ ସଂକେତ ୭.୭୮ମିଟର ରହିଛି। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନରେ ମହାନଦୀ ବନ୍ଧ ଦୁର୍ବଳ ଅବସ୍ଥାରେ ଥିବାରୁ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ବନ୍ୟାଫଳରେ ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟାଜଳ ବୃଦ୍ଧି ଯୋଗୁ ଘୋଡାବର-ରତାଗଡ଼ଠାରେ ହୁଳୁହୁଳା ସେତୁ ଉପରେ ୬ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ରଣନଦୀରେ ବନ୍ୟାଜଳ ଆସି ଶିମିଳିପୁର ତାଳବସ୍ତ ରାସ୍ତାରେ ବନ୍ୟାଜଳ ୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏହା ଦ୍ୱାରା ଶଖୁଆଖଳା ଗ୍ରାମ ସମ୍ପୂର୍ଣ୍ଣଭାବେ ପାଣି ଘେରରେ ରହିଛି। ସେହିପରି ଚନ୍ଦ୍ରପା ସେତୁ ଉପରେ ୧ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଯଦି ଏହିପରି ଭାବରେ ବନ୍ୟାଜଳ ବୃଦ୍ଧି ହୁଏ ତେବେ ଗୁରୁବାର ସୁଦ୍ଧା ବାଙ୍କୀ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସମ୍ଭାବନା ଦେଖାଦେଇଛି।