ଦୁର୍ବ୍ୟବହାର ଅଭିଯୋଗ; ଏସ୍‌ପିଙ୍କ ଅଫିସ ଆଗରେ ପୋଲିସ ସଂଘର ଧାରଣା

ଛତ୍ରପୁର,୧୭ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଶପଥପାଠ କରିଛନ୍ତିି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀ ଯୋଗଦେଇ ସଂଘ ଏକ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ ମହାସଂଘ ସଭାପତି ସନ୍ତୋଷ ଶତପଥୀ, ସମ୍ପାଦକ ପଞ୍ଚାନନ ବେହେରା, ଡିଏସ୍‌ପି ସାମୁଏଲ ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କ ସମେତ ରାଜ୍ୟର ବିଭିନ୍ନ ସଂଘ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ଅପରପକ୍ଷରେ ଶପଥ ପାଠ କାର୍ଯ୍ୟକ୍ରମ ପରେ ଅନ୍ୟ ଏକ ଗୋଷ୍ଠୀର କେତେକ ହାବିଲଦାର ଓ କନଷ୍ଟେବଳମାନେ ସେଠାରେ ପହଞ୍ଚି ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଅପରାହ୍ନ ୨ ଟା ୩୦ ମିନିଟରୁ ହାବିଲଦାର ଓ କନଷ୍ଟେବଳ ସଂଘ କର୍ମକର୍ତ୍ତା ଓ ଅନ୍ୟମାନଙ୍କ ପକ୍ଷରୁ ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ା ଘଟଣାସ୍ଥଳକୁ ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାଶ ଓ ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ଧାରଣାରତ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଦାବିରେ ଏମାନେ ଧାରଣାରେ ବସି ରହିଛନ୍ତିି ା ଏସ୍‌ପି ହେଡକ୍ୱାର୍ଟରରେ ଅନୁପସ୍ଥିତ ଥିବାରୁ ସମସ୍ୟା ସମାଧାନ ହୋଇପାରି ନ ଥିବା ଜଣାପଡିଛି । ଖବର ଲେଖା ହେବା ବେଳକୁ ଏହି ଧାରଣା ଅବ୍ୟାହତ ରହିଥିଲା।