Categories: ଖେଳ

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଣ୍ଡିଆ ଗ୍ରୀନର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗାଲୁରୁ, ୫।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି। ପିଙ୍କ୍‌ ବଲ୍‌ରେ ଖେଳାଯାଉଥିବା ଏହି ପାଞ୍ଚଦିବସୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ଗ୍ରୀନ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୪୯ ଓଭରରେ ୮ ଉଇକେଟ୍‌ ହରାଇ ୧୪୭ ରନ୍‌ ସଂଗ୍ରହ କରିଛି। ମୟଙ୍କ ମାର୍କଣ୍ଡେ ୩୨ ଓ ତନବୀର ଉଲ୍‌ ହକ୍‌ ୮ ରନ୍‌ କରି କ୍ରିଜରେ ଅପରାଜିତ ରହିଛନ୍ତି। ଅସମାପ୍ତ ୯ମ ଉଇକେଟ୍‌ ଯୋଡ଼ିରେ ୩୫ ରନ୍‌ ସଂଗ୍ରହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫୈଜ ଫଜଲ (୧୨), ଅକ୍ଷଥ ରେଡ୍ଡୀ (୧୬), ଧ୍ରୁବ ସୋରୀ (୨୩), ଆକାଶଦୀପ ନାଥ (୨୯) ପ୍ରମୁଖ ବ୍ୟାଟିଂରେ ବିଫଳ ହୋଇଛନ୍ତି। ଇଣ୍ଡିଆ ରେଡ୍‌ ପକ୍ଷରୁ ସଫଳ ବୋଲର ଭାବେ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟ୍‌ ସର୍ବାଧିକ ୪ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ସନ୍ଦୀପ ଓ୍ବାରିୟର, ଅଭେସ ଖାଁ ଓ ଆଦିତ୍ୟ ଶରଓ୍ବାତେ ଗୋଟିଏ ଲେଖାଏ ଉଇକେଟ୍‌ ନେଇଛନ୍ତି।

ରାଜେଶ ମହାନ୍ତିଙ୍କ ଦୁଲୀପ୍‌ ଟ୍ରଫି ପଦାର୍ପଣ
ଇଣ୍ଡିଆ ଗ୍ରୀନ୍‌ ଦଳରେ ସ୍ଥାନ ପାଇଥିବା ଡାହାଣହାତୀ ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି ଏହି ମ୍ୟାଚ୍‌ ଜରିଆରେ ଦୁଲୀପ୍‌ ଟ୍ରଫିରେ ପଦାର୍ପଣ କରିଛନ୍ତି। ଇଣ୍ଡିଆ ଗ୍ରୀନ୍‌ ଇନିଂସରେ ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାଜେଶ ବ୍ୟାଟିଂରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ୩ଟି ବଲ୍‌ର ସାମ୍ନା କରି ରାଜେଶ ଜୟଦେବ ଉନାଡକଟ୍‌ଙ୍କ ବଲରେ ଉଇକେଟ୍‌କିପର ଇଶାନ କିଶାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏଥିପୂର୍ବରୁ ରାଉଣ୍ଡ-ରବିନ ପର୍ଯ୍ୟାୟରେ ରାଜେଶଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ରାଜେଶ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ମଧ୍ୟ ରହିଥିଲେ।

Share