Categories: ଖେଳ

ଦୁଲୀପ୍‌ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷରେ ଚାଲିଥିବା ଦୁଲୀପ୍‌ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦୃଢ଼ସ୍ଥିତିରେ ରହିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ୫ ଦିବସୀୟ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସରେ ୨୩୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଗୁରୁବାର ୨ୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସରେ ୫୨ ଓଭରରେ ୨ ଉଇକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଈଶ୍ୱରନ ୧୦୨ (୧୧ ଚୌକା ଓ ୨ ଛକା) ଓ ଅଙ୍କିତ କାଲସି ୧୧ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ପଞ୍ଚଲ ୩୩ ଓ ଅଭିଜ୍ଞ କରୁଣ ନାୟାର ୨୦ ରନ କରି ଆଉଟ୍‌ ହୋଇଛନ୍ତି। ପ୍ରତିପକ୍ଷ ବୋଲର ଅଙ୍କିତ ରାଜପୁତ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି ୯ ଓଭର ବୋଲିଂ କରି ୪୩ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଉଇକେଟ୍‌ ଶୂନ୍ୟ ରହିଥିଲେ। ହାତରେ ଆହୁରି ୮ଟି ଉଇକେଟ୍‌ ରହିଥିବାବେଳେ ଇନିଂସ ଅଗ୍ରଣୀ ପାଇଁ ଇଣ୍ଡିଆ ରେଡ୍‌ ୫୭ ରନ୍‌ ଆବଶ୍ୟକ କରୁଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୭/୮ରୁ ବ୍ୟାଟିଂ ଆରମ୍ଭ କରି ଇଣ୍ଡିଆ ଗ୍ରୀନ ଗୁରୁବାର ୨୩୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୩୨ ରନ୍‌ କରି ଖେଳୁଥିବା ମୟଙ୍କ ମାର୍କଣ୍ଡେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୭୬ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଙ୍କିତ ରାଜପୁତ ମଧ୍ୟ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇବାରେ ସଫଳ ହୋଇଥିଲେ। ପ୍ରତିପକ୍ଷ ଇଣ୍ଡିଆ ରେଡ୍‌ ପକ୍ଷରୁ ଜୟଦେବ ଉନାଡକଟ୍‌ ୪ ଏବଂ ସନ୍ଦୀପ ଓ୍ବାରିୟର ଓ ଅଭେସ ଖାଁ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ: ୨୩୧/୧୦ (ମାର୍କଣ୍ଡେ ୭୬*, ଆକାଶଦୀପ ନାଥ ୨୯, ରାଜପୁତ ୪/୮୩)
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୧୭୫/୨, ୫୨ ଓଭର (ଈଶ୍ୱରନ ୧୦୨*, ପଞ୍ଚଲ ୩୩, କାଲସି ୧୧*, ମାର୍କଣ୍ଡେ ୧/୨୪)।

Share