Categories: ଖେଳ

ଦୁଲୀପ୍‌ ଟ୍ରଫି ଲୋମରରଙ୍କ ଶତକ: ଇଣ୍ଡିଆ ରେଡ୍‌ର ଦୃଢ଼ ଜବାବ

ବେଙ୍ଗାଲୁରୁ,୧।୯ (ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ଗ୍ରୀନ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମହିପାଲ ଲୋମରରଙ୍କ ଶତକ ଓ କରୁଣ ନାୟାରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ପ୍ରଥମ ଇନିଂସରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ରେଡ୍‌ ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୩୫ ଓଭରରେ ୯ ଉଇକେଟ ହରାଇ ୪୦୪ ରନ ସଂଗ୍ରହ କରିଛି। ହାତରେ ଆଉ ମାତ୍ର ଗୋଟିଏ ଉଇକେଟ ବାକିଥିବା ବେଳେ ରେଡ ୩୬ ରନ ପଛରେ ପଡିଛି। ଇନିଂସ ପଛୁଆ ରହିବାର ସମ୍ଭାବନା ରହିଥିଲେ ମଧ୍ୟ ରେଡ୍‌ ଦୃଢ଼ ଜବାବ ଦେଇଛି। ଷମ୍ପ ଅପସାରଣ ବେଳକୁ ଆଭେସ ଖାଁ ୩୪ ଓ ସନ୍ଦୀପ ଓ୍ବାରିୟର ୨ ରନ କରି ଅପରାଜିତ ରହିଛନ୍ତି। ୧୮ ବଲରୁ ୩୪ରନର ଛୋଟିଆ ଅପରାଜିତ ଇନିଂସରେ ଆଭେସ ଧୂଆଁଧାର ବ୍ୟାଟିଂ କରି ୫ଟି ଛକା ମାରିଥିଲେ ଓ ଦଳର ସ୍କୋରକୁ ଗ୍ରୀନ୍‌ର ନିକଟତର କରାଇଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୦/୨ରୁ ରେଡ୍‌ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ନାୟାର ୭୭ ଓ ଲୋମରର ୨୨ ରନରୁ ଖେଳ ଆରମ୍ଭ କରିଥିଲେ। ଅଭିଜ୍ଞ ନାୟାର ୧୫୪ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୯୦ ରନର ଦମ୍‌ଦାର ପାଳି ଖେଳି ଅଙ୍କିତ୍‌ ରାଜପୁତଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ସେହିପରି ୧୯ ବର୍ଷୀୟ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଲୋମରର ୨୭୨ଟି ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ସହାୟତାରେ ୧୨୬ ରନର ଶତକୀୟ ପାଳି ଖେଳି ସୌରାଷ୍ଟ୍ର ବାମହାତୀ ସ୍ପିନର ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ବଦଳ ଖେଳାଳି ଆକାଶଦୀପ ନାଥଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଗତ ଦୁଇଟି ମ୍ୟାଚ୍‌ରେ ନାୟାର ଦ୍ୱିତୀୟଥର ପାଇଁ ୯୦ ଓ ୧୦୦ ରନ ମଧ୍ୟରେ ଆଉଟ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଈଶ୍ୱରନ ୨୨, ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ୩୮, ଆଦିତ୍ୟ ସରଓ୍ବାତ୍‌ ୬, ଜୟଦେବ ଉନାଡ଼କଟ ୩୦ ଓ ଅକ୍ଷୟ ଓ୍ବାଖରେ ୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଣ୍ଡିଆ ଗ୍ରୀନ୍‌ ତରଫରୁ ଜାଡେଜା ସର୍ବାଧିକ ୪, ଅଙ୍କିତ ରାଜପୁତ ଓ ତନବୀର ଉଲ ହକ ୨ଟି ଲେଖାଏ, ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ: ୧୩୧.୩ ଓଭରରେ ୪୪୦ ଅଲଆଉଟ୍‌।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିସଂ: ୧୩୫ ଓଭରରେ ୪୦୪/୯
(ମହିପାଲ ଲୋମରର- ୧୨୬, କରୁଣ ନାୟାର- ୯୦, କେ.ଏସ୍‌. ଭରତ- ୩୮, ଆଭେସ୍‌ ଖାଁ- ୩୪*, ପ୍ରିୟଙ୍କ ପଞ୍ଚାଲ- ୩୧, ଧର୍ମେନ୍ଦ୍ରସିନ ଜାଡେଜା- ୪/୧୨୫, ଅଙ୍କିତ୍‌ ରାଜପୁତ- ୨/୬୭, ତନବୀର ଉଲ ହକ- ୨/୧୯ )।

Share