ବେଙ୍ଗାଲୁରୁ, ୨୫।୮: ଆଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ବ୍ଲୁ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍ରେ ଇଣ୍ଡିଆ ରେଡ୍ ଅଗ୍ରଣୀ ହାସଲ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରେଡ୍ ପ୍ରଥମ ଇନିଂସରେ ୧୨୪ ଓଭରରେ ୨୮୫ ରନ କରି ଆଉଟ ହୋଇଥିଲା। ଜବାବରେ ବ୍ଲୁ ପ୍ରଥମ ଇନିଂସ ଆରମ୍ଭ କରି ଅଙ୍କିତ ବାଓ୍ବନେଙ୍କ ଅପରାଜିତ ଶତକ ସହାୟତାରେ ରବିବାର ତୃତୀୟ ଦିନ ଚା’ପାନ ବିରତି ବେଳକୁ ୮୩.୨ ଓଭରରେ ୨୫୫ ରନ କରି ଅଲଆଉଟ ହୋଇଛି। ଫଳରେ ରେଡ୍ ୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୭୪/୩ରୁ ଖେଳ ଆରମ୍ଭ କରି ବ୍ଲୁ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅଙ୍କିତ ବାଓ୍ବେନେ ୧୫ରନରୁ ଖେଳ ଆରମ୍ଭ କରି ୧୨୧ ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ୬ ରନରୁ ଖେଳ ଆରମ୍ଭ କରି ଅନମୋଲପ୍ରୀତ ସିଂ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ପୂର୍ବରୁ ଓପନର ଋତୁରାଜ ଗାଏକ୍ୱାଡ଼ ୩୭ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ତେବେ ବାକି ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ସ୍ନେଲ ପଟେଲ, ଜଲାଜ ସାକସେନା, ଦିଓ୍ବେସ ପଠନିଆ, ବାସିଲ ଥମ୍ପି ଖାତା ଖୋଲିପାର ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାକ ଶୁବମନ ଗିଲ ୯, ରିକି ଭୁଇ ୩, ସୌରଭ କୁମାର ୩, ଅନିକେତ୍ ଚୌଧୁରୀ ୮ ରନ କରି ଆଉଟ ହୋଇଥିଲେ। ବୋଲିଂରେ ରେଡ୍ ତରଫରୁ ଆଭସ ଖାଁ ସର୍ବାଧିକ ୪, ଜୟଦେବ ଉନାଡ଼କଟ ଓ ଅକ୍ଷୟ ଓ୍ବଖରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।