Categories: ଖେଳ

ଦୂତୀଙ୍କୁ ଏ ବର୍ଷ ମିଳିବ ନାହିଁ ଅର୍ଜୁନ ସମ୍ମାନ

ନୂଆଦିଲ୍ଲୀ,୨୪।୭- ଷ୍ଟାର ସ୍ପିଣ୍ଟର ଦୂତୀ ଚାନ୍ଦ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଅଧିକାରୀ ହୋଇପାରିବେ ନାହିଁ। ତାଙ୍କ ବ୍ୟତୀତ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ମନଜିତ ସିଂ ମଧ୍ୟ ଏହି ସମ୍ମାନ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ନିୟମ ଅନୁଯାୟୀ ଏକ କ୍ରୀଡ଼ା ସଂଘଠନ ଅର୍ଜୁନ ପୁରସ୍କାର ପାଇଁ କେବଳ ୩ ଜଣ ଆଥ୍‌ଲେଟଙ୍କ ନାମ ସୁପାରିସ କରିପାରିବ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ମୋଟ ଉପରେ ୫ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଛି। ଦୂତୀ ଓ ମନଜିତଙ୍କ ବ୍ୟତୀତ ତାଲିକାରେ ଶଟ୍‌ପୁଟର ତେଜିନ୍ଦର ପାଲ ସିଂ ତୁର, ହେପ୍ଟାଥଲେଟ୍‌ ସ୍ବପ୍ନା ବର୍ମନ ଓ ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂ ସ୍ଥାନ ପାଇଛନ୍ତି। ଏହି ଆଥ୍‌ଲେଟଙ୍କ ନାମ ପ୍ରସ୍ତାବ ଦିଆଯିବା ପୂର୍ବରୁ ଫେଡେରେଶନ ପକ୍ଷରୁ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଆଥ୍‌ଲେଟଙ୍କ ପ୍ରଦର୍ଶନକୁ ଭିତ୍ତି କରି ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଏ। ଏହି ତାଲିକାରେ ମନ୍‌ଜିତ ୪ର୍ଥ ସ୍ଥାନରେ ଥିବାବେଳେ ଦୂତୀ ୫ମରେ ରହିଛନ୍ତି। ଏଣୁ ଟପ୍‌ ୩ରେ ଥିବା ତୁର, ବର୍ମନ ଓ ଅର୍ପିନ୍ଦରଙ୍କ ନାମ ମନୋନୀତ କରାଯାଇଛି। ଓଡ଼ିଆ ଧାବିକା ଏସିଆନ ଗେମ୍ସରେ ୧୦୦ ମି. ଓ ୨୦୦ମି. ଦୌଡ଼ରେ ଡବଲ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୌଣସି ପଦକ ହାତେଇ ପାରି ନ ଥିଲେ। ଏଥିଯୋଗୁ ଅର୍ଜୁନ ସମ୍ମାନ ଲାଗି ତାଙ୍କ ଦାବି ଦୁର୍ବଳ ହୋଇଥିଲା। ତେବେ ଦୂତୀଙ୍କ ନାମକୁ ଓଡ଼ିଶା ସରକାର ପକ୍ଷରୁ ପଠାଯାଇଥିଲା। ମାତ୍ର କୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ତାରିଖର ଏକ ମାସ ପରେ ପ୍ରସ୍ତାବ ଦିଆଯାଇଥିବାରୁ ତାହା ଖାରଜ ହୋଇଥିଲା। ଉଲ୍ଲେଖଥାଉ କି, କ୍ରୀଡ଼ା ମନ୍ତ୍ରଣାଳୟ ଏବେ ଖେଳରତ୍ନ ଓ ଅର୍ଜୁନ ସମ୍ମାନ ଲାଗି ଯୋଗ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରୁଛି। ମନୋନୀତ ନାମଗୁଡ଼ିକ ପରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ମଞ୍ଜୁରୀ ପାଇଁ ପଠାଯିବ।

Share