Categories: ଖେଳ

ଦୂତୀଙ୍କୁ ମିଳିଲା ଭିଜା

ନୂଆଦିଲ୍ଲୀ,୧୦।୮(ପି.ଟି.)- ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ୟୁରୋପ୍‌ ଗସ୍ତ ପାଇଁ ଶେଷରେ ଭିଜା ମିଳିଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍‌ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଗୁରୁବାର ଦୂତୀ ଭିଜା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହାୟତା ଲୋଡିଥିଲେ। ଏଥିରେ କିଛି ସମସ୍ୟା ଥିଲେ ମଧ୍ୟ ଶେଷରେ ଏହାର ସମାଧାନ ହୋଇଛି ଓ ୟୁରୋପ୍‌ ଗସ୍ତ ପାଇଁ ଦୂତୀଙ୍କ ରାସ୍ତା ସଫା ହୋଇଛି। ଭିଜା ମିଳିବା ପରେ ଦୂତୀ ଟୁଇଟି କରି ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୂତୀ କିଛିଦିନ ତଳେ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ।
ଦୂତୀ ଆସନ୍ତା ୧୩ ତାରିଖରେ ଆୟର୍ଲାଣ୍ଡ ଓ ୧୯ ତାରିଖରେ ଜର୍ମାନୀରେ ଆୟୋଜନ ହେବାକୁଥିବା ରେସ୍‌ରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଏହି ଦୁଇଟି ପ୍ରତିଯୋଗିତାକୁ ଅନୁମୋଦନ ଦେଇଛି। ତେବେ ଏହି ପ୍ରତିଯୋଗିତା ପାଇଁ ଭିଜା ମିଳି ନ ଥିବାରୁ ସେ ଟୁଇଟ୍‌ କରି ଜୟଶଙ୍କରଙ୍କୁ ସାହାଯ୍ୟ ମାଗିଥିଲେ। ଗତ ସପ୍ତାହରେ ସେ ଭିଜା ପାଇଁ ଆବେଦନ କରିଥିଲେ ଓ ଶୁକ୍ରବାର ୟୁରୋପ ଗସ୍ତ ଆରମ୍ଭ କରିବା କାର୍ଯ୍ୟକ୍ରମ ଥିଲା। ଉଲ୍ଲେଖଥାଉ କି, ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଙ୍ଗ ହେଉଛି ୧୧.୨୪ ସେକେଣ୍ଡ। ସେହିପରି ୨୦୨୦ ଅଲିମ୍ପିକ୍ସ ଗେମ୍ସ ପାଇଁ କଟ-ଅଫ୍‌ ୧୧.୧୫ ସେକେଣ୍ଡ ରହିଛି। ତେବେ ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛନ୍ତି।

Share