ଦୂଷିତ ପାଣି ପିଇ ୨୩ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ

ତେଲକୋଇ, ୨୫।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଅଧୀନ ରାଣୀବେଡା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ପାନୀୟଜଳ ଦୂଷିତ ହେବା କାରଣରୁ ୨୩ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପଡିଛନ୍ତି। ରବିବାର ଅପରାହ୍ନରେ ସେମାନଙ୍କୁ ଦୁଇଟି ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୁସ୍ଥ ହେବାରୁ ୧୮ଜଣଙ୍କୁ ପରେ ଛାଡି ଦିଆଯାଇଛି। ୫ଜଣ ଚିକିତ୍ସାଧୀନ ଅଛନ୍ତି। ପାନୀୟ ଜଳ ସଂକ୍ରମଣ ଯୋଗୁ ଛାତ୍ରଙ୍କ ପେଟ ଦରଜ ହେବା ସହ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଥାଇପାରନ୍ତି ବୋଲି ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତର ଡି ଆଚାର୍ଯ୍ୟ କହିଛନ୍ତି।
ଉଲ୍ଲେଖନୀୟ ଯେ, ତେଲକୋଇଠାରୁ ୩୫ କି.ମି. ଦୂରରେ ଥିବା ଏହି ଛାତ୍ରାବାସ ଜିଲା ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଛି। ସେଠାକାର ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଙ୍କ ମଧ୍ୟରୁ ୫୧ ଜଣ ଛାତ୍ରାବାସରେ ରହୁୁଛନ୍ତି। ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସିଥିବା ଅସୁସ୍ଥ ଛାତ୍ରଙ୍କ କହିବାନୁଯାୟୀ ୨୦୧୭ ରେ ଛାତ୍ରାବାସ ପାଇଁ ବସୁଧା ଯୋଜନାରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରାଯାଇଥିଲା । ଦୁଇ ମାସ ହେବ ଏହା ଅଚଳ ହୋଇ ପଡିଥିଲା । ପରେ ଏହାକୁ ସଚଳ କରାଯାଇ ଅନ୍ତେବାସୀଙ୍କୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଟାଙ୍କି ସଫା କରାଯିବା ବେଳେ ଏହା ଆଭ୍ୟନ୍ତର ଅପରିଷ୍କାର ହୋଇ ପଡିଥିବାରୁ ପାନୀୟଜଳ ଦୂୂଷିତ ହୋଇଥିବା ସନ୍ଦେହ କରାଯାଉଛି। ଛାତ୍ରଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ଆଣିଥିବା ଶିକ୍ଷକ ମତ୍ୟୁଞ୍ଜୟ ଦାଶଙ୍କୁ ପଚାରିବାରୁ କହିଛନ୍ତି, ପାନୀୟଜଳ ସମସ୍ୟା ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇ ପାରେ । ଚିକିତ୍ସା ପରେ ୧୮ ଜଣ ଛାତ୍ରଙ୍କୁ ଫେରାଇ ନିଆଯାଇଛି । ଛାତ୍ରାବାସରେ ୫ ଛାତ୍ର ଘରକୁ ଚାଲି ଯାଇଥିବାରୁ ଏବେ ସେଠାରେ ୪୬ ଜଣ ରହୁଥିଲେ। ଶନିବାର ସେମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ଫାଷ୍ଟ ଏଡ ବ୍ୟବସ୍ଥାରେ ଔଷଧ ଦିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କେ.ମିଶ୍ରଙ୍କୁ ପଚାରିବାରୁ କହିଲେ, ଘଟଣା ନେଇ ସେ ସୂଚନା ପାଇଛନ୍ତି। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ।