ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା ବେଳେ ଏକ ମାତ୍ର ନଳକୂପ ଉପରେ ଘଣ୍ଟା ଘଣ୍ଟା ଧରି ପାଣି ପାଇଁ ଗ୍ରାମବାସୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଗ୍ରାମ ନିକଟସ୍ଥ ହନୁମତିଆ ନାଳର ଦୂଷିତ ପାଣିକୁ ଲୋକେ ପାନୀୟଜଳ ଭାବେ ବ୍ୟବହାର କରୁଥିବାବେଳେ ଗାଧୋଇବା ଓ ଗୃହପାଳିତ ପଶୁଙ୍କ ପାଇଁ ଜଳ ସଂଗ୍ରହ ମଧ୍ୟ କରୁଛନ୍ତି। ଏହି ଗ୍ରାମରେ ୩ଶହରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଦୀର୍ଘଦିନରୁ ଜଳସଙ୍କଟ ଥିବାରୁ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କ ଠାରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ଦାବି କରିଥିଲେ। ତେବେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଆରମ୍ଭ କରାଯାଉଥିବା ବେଳେ ପାନୀୟଜଳ ପାଇଁ ଗ୍ରାମରେ ବିବାଦ ଯୋଗୁ ଏହାକୁ ସାମୟିକ ଭାବେ ବନ୍ଦ କରାଯାଉଥିଲା। ମଙ୍ଗଳବାର ଗ୍ରାମର ଶତାଧିକ ଲୋକେ ବିଡିଓଙ୍କ ଠାରେ ପାନୀୟଜଳ ଯୋଗାଣ ପାଇଁ ଦାବି କରିବା ସହ ଦାବିପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ତୁରନ୍ତ ଟ୍ୟାଙ୍କର ବ୍ୟବସ୍ଥା କରାଯାଇ ପାନୀୟଜଳ ଯୋଗାଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share