ଦୃଢ ଇଛାଶକ୍ତି ଦେଇଛି ବଞ୍ଚିବାର ରାହା

ଖଇରା, ୧୮।୩(ଡି.ଏନ.ଏ.)-ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମର ଦିବ୍ୟାଙ୍ଗ ଅକ୍ଷୟ କୁମାର ମହାନ୍ତି। ବୟସ ୫୪ ହେଲାଣି। ତଥାପି ସେ ଥକିନାହାନ୍ତି।
ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ବଜାର ଲଙ୍କେଶ୍ୱର ମନ୍ଦିର ପରିସର ବାମପାର୍ଶ୍ୱରେ ସିଲେଇ ଦୋକାନ କରିଛନ୍ତି ଅକ୍ଷୟ। ତାଙ୍କର ଗ୍ରାହକଙ୍କ ସହିତ ସୁମଧୁର ସମ୍ପର୍କ ଯୋଗୁ ସେ ଆଜି ଆଗକୁ ବଢିପାରିଛନ୍ତି । ଜନ୍ମରୁ ଗୋଡ ହରାଇଥିବା ଅକ୍ଷୟ ୬ମାସର ହୋଇଥିବା ବେଳେ ତାଙ୍କ ବାପା ଯଦୁନାଥ ମହାନ୍ତି ଆରପାରିକୁ ଚାଲିଗଲେ। ମା’ କାମିନୀ ଅନ୍ୟଘରେ କାମ କରି ତାଙ୍କୁ ମଣିଷ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାଭାବ ଯୋଗୁ ସେ ଆଉ ଆଗକୁ ଆଗେଇ ପାରି ନ ଥିଲେ। ଜୀବନରେ କିଛି କରିବାର ଦୃଢ ଇଛାଶକ୍ତି ନେଇ ଭଦ୍ରକରେ ସିଲେଇ ଶିକ୍ଷା ଆରମ୍ଭ କରିଥିଲେ। ପରେ ଗଣ୍ଡିବେଡ ଆସି ସିଲେଇ ମେଶିନ ବସାଇ ନିଜେ ବଞ୍ଚିବା ସହ ଅନ୍ୟ କିଛି ବେରୋଜଗାରୀଙ୍କୁ ରୋଜଗାର ପନ୍ଥା ଦେଖାଇଥିଲେ। ୩୧ବର୍ଷ ମଧ୍ୟରେ ଏହି ରୋଜଗାରରୁ ନିଜର ୫ଝିଅଙ୍କୁ ପାଠ ପଢାଇବା ପରେ ୨ଝିଅଙ୍କର ବାହାଘର ମଧ୍ୟ କରାଇଛନ୍ତି। କାହାରି ଉପରେ ନିର୍ଭର ନ କରି ଗୋଟିଏ ଗୋଡରେ ସାଇକେଲ ଚଳାଇ ଘରୁ ୩ କି.ମି. ଅତିକ୍ରମ କରି ଗଣ୍ଡିବେଡ ବଜାର ଆସିଥାନ୍ତି। ବର୍ତ୍ତମାନ ରେଡିମେଡ ଲୁଗାକୁ ଗ୍ରାହକ ଅଧିକ ପସନ୍ଦ କରୁଥିବାରୁ କେବଳ ଏବେ କେବଳ କିଛି ମରାମତି କାମ ତାଙ୍କ ନିକଟକୁ ଆସୁଥିବା ଦୁଃଖର ସହ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଋଣ ଯୋଗାଇ ଦିଆଗଲେ ଦୋକାନକୁ ବଢାଇପାରନ୍ତେ ବୋଲି ସେ କୁହନ୍ତି।