ଦୃଷ୍ଟିଶକ୍ତିକୁ ପ୍ରଖର କରେ ଧନିଆ ପତ୍ର

ଧନିଆ ପତ୍ରରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଖାଦ୍ୟ ତାଲିକାରେ ଏହାକୁ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ଧନିଆରେ ଭିଟାମିନ୍‌ ‘ଏ’ ଏବଂ ଫସଫରସ ପ୍ରଚୁର ମାତ୍ରାରେ ରହିଛି। ଏଥିରେ ଥିବା ଏହି ଦୁଇଟି ତତ୍ତ୍ୱ ଦୃଷ୍ଟି ଶକ୍ତିକୁ ଆହୁରି ସକ୍ରିୟ କରିଥାଏ। କେବଳ ସେତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଦୂର ହୋଇଥାଏ। ଆଉ ଏକ କଥା। ଧନିଆରେ କ୍ୟାଲସିୟମ ତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇବା ଦ୍ୱାରା ଅସ୍ଥି ମଜଭୁତ ହୋଇଥାଏ। ବିଶେଷଭାବରେ ବୟସ୍କ ବ୍ୟକ୍ତି ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଧନିଆରେ ପ୍ରଚୁର ପରିମାଣରେ ଆଇରନ୍‌ ଭରି ରହିଛି। ତେଣୁ ଏହାକୁ ଖାଇଲେ ଭୋକ ଠିକ୍‌ ଭାବରେ ହୋଇଥାଏ। ପ୍ରତିଦିନ ଏକ ଚାମଚ ଧନିଆ ପେଷ୍ଟ ଖାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ସକ୍ରିୟ ରହିଥାଏ।