ଦୃଷ୍ଟିଶକ୍ତି ବଢ଼ାଇଥାଏ ଏସବୁ ଖାଦ୍ୟ

ଆଜିକାଲି ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି କମ୍‌ ରହୁଛି। ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଅଧିକ ସମୟ ଟିଭି, ମୋବାଇଲ୍‌, କମ୍ପ୍ୟୁଟର ଆଦି ଦେଖିବା ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ପାଉଛି। ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍‌ ‘ଏ’, ‘ବି’, ‘ସି’ ଏବଂ ‘ଡି’ଯୁକ୍ତ ଖାଦ୍ୟ ବିଶେଷ ଉପକାରୀ। ଶରୀରରେ ଭିଟାମିନ୍‌ ‘ଏ’ର ଅଭାବ ଦେଖାଦେଲେ ଦୃଷ୍ଟିଶକ୍ତି କମିଥାଏ। ଏପରିକି ମଣିଷ ଅନ୍ଧ ମଧ୍ୟ ହୋଇଯାଏ। ତେବେ ଜାଣନ୍ତୁ ଏସବୁ ଖାଦ୍ୟ ଖାଇଲେ ଦୃଷ୍ଟିଶକ୍ତି ବଢ଼ିଥାଏ।

ଶାଗ:
ପ୍ରତ୍ୟେକ ଶାଗରେ ଭିଟାମିନ୍‌ ‘ଏ’ ରହିଥାଏ। ପାଳଙ୍ଗ, ସଜନା, ସୁନୁସୁନିଆ, କୋଶଳା ଶାଗ ସହିତ ବନ୍ଧାକୋବିରେ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ରହିଛି। ଶାଗରୁ କ୍ୟାରୋଟିନାଇଡ୍‌ ମିଳିଥାଏ। ପ୍ରତିଦିନ ଖାଦ୍ୟରେ ଶାଗ ସାମିଲ କଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।


କମଳା:
ଏଥିରେ ଭିଟାମିନ୍‌ ‘ସି’ ରହିଛି। ବିଟା କ୍ୟାରୋଟିନ ଥିବାରୁ ପ୍ରତିଦିନ କମଳା ଖାଇଲେ ଆଖି ସୁସ୍ଥ ରହେ। ବିଶେଷକରି ହଳଦିଆ ରଙ୍ଗର ଫଳ ଖାଇଲେ ଦୃଷ୍ଟିଶକ୍ତି କ୍ଷମତା ବଢ଼ିଥାଏ ବୋଲି ଚକ୍ଷୁ ବିଶେଷଜ୍ଞ ମତ ଦିଅନ୍ତି।


ପିଆଜ, ରସୁଣ:
ରସୁଣ ଏବଂ ପିଆଜରେ ପ୍ରଚୁର ପରିମାଣର ସଲ୍‌ଫର ମିଳିଥାଏ। ଯାହା ଆଖି ପାଇଁ ଆଣ୍ଟିଅକ୍ସିଡାଣ୍ଟ ସଦୃଶ କାମ କରିଥାଏ।


ଅଣ୍ଡା:
ଅଣ୍ଡାରେ ଏମିନୋ ଏସିଡ୍‌, ପ୍ରୋଟିନ୍‌, ସଲ୍‌ଫର, ଲ୍ୟାକ୍ଟିନ୍‌, ସିଷ୍ଟିନ୍‌ ଏବଂ ଭିଟାମିନ୍‌ ‘ବି -୨’ ରହିଥାଏ। ଭିଟାମିନ୍‌ ‘ବି’ସେଲ୍‌ ବା କୋଷର କାର୍ଯ୍ୟ କରିବାରେ ସହାୟକ ହୋଇଥାଏ।


ସେହିପରି ଦୁଗ୍ଧ ଜାତୀୟ ଖାଦ୍ୟ ଯଥା, କ୍ଷୀର, ଦହି, ଲହୁଣୀ,ଛେନା ଆଦିରୁ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ମିଳିଥାଏ। ଏସବୁ ଖାଦ୍ୟ ଖାଇଲେ ଦୃଷ୍ଟିଶକ୍ତି ବଢ଼ିଥାଏ।