ଦୃଷ୍ଟିହୀନ ନାତିକୁ ଖତଗଦାରେ ଫିଙ୍ଗି ଦେଇଥିଲେ ଜେଜେବାପା

 

ନବରଙ୍ଗପୁର,୧୦।୧୨(ବି.ପ୍ର.)-ଦୃଷ୍ଟିହୀନ ଶିଶୁପୁତ୍ର ଜନ୍ମ କରିଥିଲେ ବୋହୂ। ଏହାକୁ ଶ୍ୱଶୁର ସହ୍ୟ କରି ପାରି ନ ଥିଲେ। ଜନ୍ମର ୨ ମାସ ପରେ ଦୃଷ୍ଟିହୀନ ନାତିକୁ ଜେଜେବାପା ଖତ ଗଦାରେ ଫୋପାଡି ଦେଇଥିଲେ। ଏହା ଦେଖି ଜନ୍ମ ଦାତ୍ରୀ ମାଆ ନିଜ କୋହ ସମ୍ଭାଳି ପାରି ନ ଥିଲେ ା ଖତଗଦାରୁ ଶିଶୁ ପୁତ୍ରକୁ ଉଠାଇ ବାପ ଘରକୁ ଚାଲି ଆସିଥିଲେ।
ନବରଙ୍ଗପୁର ଜିଲାରେ ଏଭଳି ଏକ ଘଟଣା ଘଟିଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ପଡାଲଗୁଡା ଗାଁର ଫଗୁଣ ଭତରାଙ୍କ ଝିଅ ସୂର୍ଯ୍ୟ ସୌରା ବେଳଗାଁର ଖଗପତି ସୌରାଙ୍କୁ ବିବାହ କରିଥିଲେ ା ଉଭୟେ ଦିନ ମଜୁରିଆ। ରାୟଗଡା ଠାରେ ଏକ ଇଟା ଭାଟିରେ କାମ କରି ଜୀବିକା ନିର୍ବାହ କରିଥାନ୍ତି ା ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି ା ବଡ ପୁଅକୁ ୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅକୁ ବର୍ତ୍ତମାନ ୫ ମାସ ହୋଇଛି ା ୨ୟ ପୁଅ ଜନ୍ମରୁ ଦୃଷ୍ଟିହୀନ ା ଆର୍ଥିକ ଅନଟନ ଲାଗି ଦୃଷ୍ଟିହୀନ ଶିଶୁର ଚିକିତ୍ସା ମା’ ବାପା କରି ପାରି ନ ଥିଲେ ା ନାତି ଦୃଷ୍ଟିହୀନ ଏହା ଜାଣିବା ପରେ ଜେଜେବାପା ନେଇ ଖତଗଦାରେ ଫୋପାଡି ଦେଇଥିଲେ ବୋଲି ସୂର୍ଯ୍ୟ କହିଛନ୍ତି। ପୁଅକୁ ଧରି ପଡାଲଗୁଡା ବାପା ଘରକୁ ସୂର୍ଯ୍ୟ ଚାଲି ଆସିଥଲେ। ପୁଅର ଚିକିତ୍ସା ପାଇଁ ପ୍ରଶାସନର ସହାୟତା ଲୋଡିଥିଲେ। ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ା ପ୍ରଶାସନ ପକ୍ଷରୁ ଜିଲା ଜରୁରିକାଳୀନ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା ରାଜସ୍ବ ଅମଲା ସଂଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଜିଲା ସଦର ମହକୁମ୍ମା ଡାକ୍ତରଖାନା ସାଥିରେ ଆଣି ଦୃଷ୍ଟି ବାଧିତ ଶିଶୁର କିଭଳି ଚିକିତ୍ସା ହୋଇପାରିବ ସେ ନେଇ ବିଭାଗ ସହ ଯୋଗାଯୋଗ କରିଥିଲେ ା ଏନେଇ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ଫିରୋଜ ବାଗଙ୍କୁ ପଚାରିବାରୁ ଆସନ୍ତା ୧୭ ତାରିଖରେ ଉକ୍ତ ଶିଶୁ ପୁତ୍ରକୁ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପଠାଯାଇ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।

Share