ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସକାଳେ ମୁଁ ସ୍ତ୍ରୀଙ୍କ ସହିତ ମାର୍କେଟ ଛକରେ ପହଞ୍ଚତ୍ଥିଲି। ଜଣେ ଦୃଷ୍ଟିହୀନ ହୋଇଥିବାରୁ ଦିବ୍ୟାଙ୍ଗଙ୍କ ଲାଗି ଉଦ୍ଦିଷ୍ଟ ବ୍ୟାଟେରି ଗାଡ଼ିିରେ ଶ୍ରୀମନ୍ଦିର ନିକଟକୁ ନେଇଯିବା ପାଇଁ ଜଗନ୍ନାଥ ବଲ୍ଳଭ ଛକଠାରେ ପୋଲିସକୁ ନେହୁରା ହୋଇଥିଲି। କେହି ମୋ କଥା ଶୁଣି ନ ଥିଲେ। ଏକଥା କୋହଭରା କଣ୍ଠରେ କହିଛନ୍ତି ବାଲେଶ୍ୱରରୁ ଆସିଥିବା ଜଣେ ଭକ୍ତ ଦୃଷ୍ଟିବାଧିତ ପ୍ରକାଶ ମହାନ୍ତି। ସେ କହିଛନ୍ତି, ଦୃଷ୍ଟିହୀନ ହୋଇଥିବାରୁ ମାର୍କେଟ ଛକରେ ଭକ୍ତଙ୍କ ଲାଗି ନିର୍ମିତ ବ୍ୟାରିକେଡ ଦେଇ ଭିଡ଼ରେ ଯିବା ମୁସ୍କିଲ ଥିଲା। ବାମପଟେ ମଧ୍ୟ ପ୍ରବଳ ଗହଳି ଲାଗିଥିଲା। ଠେଲାପେଲାରେ ଯାଇପାରି ନ ଥାନ୍ତି। ଏଣୁ ମାର୍କେଟ ଛକରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତରେ ପ୍ରଣାମ କରି ଫେରି ଯାଇଥିଲୁ। ମୁଁ ଦୃଷ୍ଟିହୀନ ବୋଲି ମହାପ୍ରଭୁଙ୍କ ନିକଟକୁ ଯିବାର ସୌଭାଗ୍ୟରୁ ବଞ୍ଚତ୍ତ ହେଲି। ତେବେ ଏଭଳି ଭବ୍ୟ ବ୍ୟବସ୍ଥା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ମୋ’ ସାଥିରେ ନେଇଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଡ୍ୟୁଟିରତ ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲୁ। ମାତ୍ର ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ ବୋଲି କ୍ଷୋଭର ସହ କହିଛନ୍ତି ପ୍ରକାଶ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Share