ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୋକାରୋରେ ଆୟୋଜିତ ଏକ ରାଲିରେ ସମ୍ବୋଧନ ଦେଇଛନ୍ତି। ଏହି ରାଲିରେ ସେ କହିଛନ୍ତି, ଭାଜପା ପୂର୍ବରୁ ଦେଇଥିବା କଥା ରଖିବ ଆଉ ଖୁବ୍ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବ। ବିଭିନ୍ନ ରାଜନୈତିକ ଦଳ ଏହାକୁ ପରିହାସ କରୁଛନ୍ତି। ହେଲେ ସବୁଥର ନିର୍ବାଚନ ବେଳେ ବିଭିନ୍ନ ଦଳ ସେମାନଙ୍କ ଘୋଷଣାପତ୍ରରେ ରାମ ମନ୍ଦିର ନିର୍ମାଣ କରିବା କଥା କହିଥିଲେ ସୁଦ୍ଧା କେହି ଏହା ପୂରଣ କରିପାରି ନାହାଁନ୍ତି। ଏବେ କିନ୍ତୁ ଭାଜପା ତା’ର ଘୋଷଣାପତ୍ରରେ ଯାହା ପୂର୍ବରୁ କହି ଆସୁଥିଲା ତାହା ପୂରଣ କରିବାକୁ ଯାଉଛି ବୋଲି ରାଜନାଥ ସୂଚନା ଦେଇଛନ୍ତି। ଏବେ ସିନା ଅନ୍ୟ ଦଳ ଏହାକୁ ପରିହାସ କରିବେ ହେଲେ କେହି ଆମକୁ ରାମ ମନ୍ଦିର ନିର୍ମାଣ କରିବାକୁ ଅଟକାଇ ପାରିବେ ନାହିଁ। ସୂଚନାଯୋଗ୍ୟ, ଗତ ମାସରେ ଅଯୋଧ୍ୟାରେ ଥିବା ବିବାଦୀୟ ରାମ ଜନ୍ମଭୂମୀ ଉପରେ ରାୟ ଦେଇ ସୁପ୍ରିମକୋର୍ଟ ସେଠାରେ ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲେ।