Categories: ଖେଳ

ଦେଓଧର ଟ୍ରଫି : ଇଣ୍ଡିଆ-ସି’କୁ ଜିତାଇଲେ ଅକ୍ଷର, ମାର୍କଣ୍ଡେ

ରାଞ୍ଚତ୍, ୩।୧୧ (ପି.ଟି.)-ସ୍ଥାନୀୟ ଜେଏସ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ କମ୍ପ୍ଲେକ୍ସଠାରେ ଶନିବାର ଖେଳାଯାଇଥିବା ଦେଓଧର ଟ୍ରଫିର ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ-ସି’ ୧୩୬ ରନ୍‌ରେ ଇଣ୍ଡିଆ-ବି’କୁ ପରାସ୍ତ କରିଛି। ଅକ୍ଷର ପଟେଲଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ବୋଲିଂ ସଫଳତା ବଳରେ ଇଣ୍ଡିଆ-ସି’ ଏହି ବୃହତ୍‌ ବିଜୟ ଲାଭ କରିଛି। ପରାଜୟ ସତ୍ତ୍ୱେ ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି’ ସୋମବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ-ସି’କୁ ଭେଟିବ। ପୂର୍ବରୁ ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ’ ୨ଟି ପରାଜୟ ସହ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ଦେଓଧର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆ-ବି ୧୦୮ ରନ୍‌ରେ ଇଣ୍ଡିଆ-ଏ’କୁ ଏବଂ ୨ୟ ମୁକାବିଲାରେ ଇଣ୍ଡିଆ-ସି’ ୨୩୨ ରନ୍‌ର ବୃହତ୍‌ ବ୍ୟବଧାନରେ ଇଣ୍ଡିଆ-ଏ’କୁ ପରାସ୍ତ କରିଥିଲେ।
ଖେଳାଯାଇଥିବା ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ-ସି’ ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଦଳ ୫ ଉଇକେଟ୍‌ ହରାଇ ୨୮୦ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ (୯୮ ରନ୍‌, ୬୧ ବଲ, ୧୩ ଚୌକା, ୩ ଛକା) ଓ ବିରାଟ ସିଂ (୭୬ ରନ୍‌, ୯୬ ବଲ୍‌, ୩ ଚୌକା, ୩ ଛକା) ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀନେଶ କାର୍ତ୍ତିକ ୩୪, ସୂର୍ଯ୍ୟକୁମାର ଯାଦବ ୧୦, ଗିଲ୍‌ ୧, ଅନ୍‌ମୋଲପ୍ରୀତ୍‌ ସିଂ ୨୩, ପ୍ରିୟମ ଗର୍ଗ ୧୮ ରନ୍‌ କରିଥିଲେ। ଇଣ୍ଡିଆ-ବି’ ପକ୍ଷରୁ ଶାହବାଜ ନଦିମ ୨ ଏବଂ ବିଜୟ ଶଙ୍କର, ମହମ୍ମଦ ସିରାଜ ଓ ନୀତୀଶ ରାଣା ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଯୁବ ଲେଗ୍‌-ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ସାମ୍ନା କରି ନ ପାରି ଇଣ୍ଡିଆ-ବି’ ୪୩.୪ ଓଭରରେ ୧୪୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ବାବା ଅପରାଜିତ ସର୍ବାଧିକ ୫୩ ରନ୍‌ ସଂଗ୍ରହ କରିଥିଲେ। ମାର୍କଣ୍ଡେ ୧୦ ଓଭରରେ ୨୫ ରନ୍‌ ବ୍ୟୟକରି ୪ଟି ଉଇକେଟ୍‌ ନେଇଥିଲେ।

Share