ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ। ଏବେ ଷ୍ଟେଜ୍‌ ୩ ସମ୍ଭାବନା ଦେଖାଯାଉଥିବା ସେ କହିଛନ୍ତି। ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। କାରଣ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣର ସମ୍ଭାବନା ଅଧିକ ଥିବା କୁହାଯାଉଥିଲା। ଏବେ ଦିଲ୍ଲୀ, ହରିୟାଣାରୁ ଫେରି ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏବେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ବାଗ୍‌ଚୀ କହିଛନ୍ତି।

ପ୍ରକାଶ ଯେ, ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସେ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇ ୧୦ରେ ଭୁବନେଶ୍ୱର ଫେରିଥିଲେ। ୧୩ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ବିଧାନସଭା ଡିସ୍‌ପେନ୍‌ସାରିକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥାବସ୍ଥା ନ ସୁଧୁରିବାରୁ ମାର୍ଚ୍ଚ ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସ୍‌ଚାର୍ଜ ହେବା ପରେ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ୨୫ରେ ତାଙ୍କ ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିଲା। ଗୁରୁବାର ରାତିରେ ଉକ୍ତ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ବାଗ୍‌ଚୀ ମଧ୍ୟ କହିଛନ୍ତି।

Share