ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ ସ୍ବାଭାବିକ ଥିବାବେଳେ ଦିନ ପ୍ରାୟ ସାଢ଼େ ୧୨ଟାବେଳକୁ କଳାହାଣ୍ଡିଆ ବାଦଲ ହଠାତ୍‌ ମାଡ଼ି ଆସିଥିଲା। ପ୍ରଥମେ ସହରର କେତେକ ଅଞ୍ଚଳରେ ଅସରାଏ ଅସରାଏ ବର୍ଷା ହୋଇଥିଲା। ଏହାପରେ ଜୋର୍‌ରେ ବଜ୍ରପାତ ସହ ଅବିରତ ବର୍ଷା ସହରବାସୀଙ୍କୁ ଛାନିଆ କରିଦେଇଥିଲା। କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଥଣ୍ଡା ପାଗ ଏହି ଭୟକୁ ଦ୍ୱିଗୁଣିତ କରିଦେଇଥିଲା। ମିଳିଥିବା ସୂଚନାନୁସାରେ, ରାଜଧାନୀର କେତେକ ସ୍ଥାନରେ ଡ୍ରେନ୍‌ ସଫା ହୋଇ ନ ଥିବାରୁ ଓ ନିଷ୍କାସନରେ ବାଧା କାରଣରୁ ବର୍ଷା ପାଣି ରାସ୍ତାରେ ଚାଲିଥିଲା। ମୁଖ୍ୟତଃ ଜନପଥ, କଟକରୋଡ଼, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବାଣୀବିହାରରୁ ଜୟଦେବ ବିହାର ରୋଡରେ ଘଣ୍ଟା ଘଣ୍ଟା ଧରି ପାଣି ଲହଡି ଭାଙ୍ଗିଥିଲା। ବମିଖାଲ ଓଭରବ୍ରିଜ୍‌ରୁ ଏସ୍‌ପ୍ଲାନେଡ୍‌ ମଲ ପର୍ଯ୍ୟନ୍ତ ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହିଥିଲାବେଳେ ଇସ୍କନ ମନ୍ଦିର ସମ୍ମୁଖରେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଖୋର୍ଦ୍ଧାରେ କେବଳ ଝଡ଼ତୋଫାନ ହୋଇଥିବାବେଳେ ପୁରୀ ଜିଲାର ଗୋପ ଓ ଅନ୍ୟ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଥିଲା।

Share