ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ

ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଦେଢ଼ମାସର ପୁଅକୁ ଗତ ୩୦ ତାରିଖରେ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ମାଟି ଖୋଳି ପୋତି ଦେଇଥିଲେ। ତାଙ୍କ ସ୍ତ୍ରୀ ନନ୍ଦିନୀ ୯ ଦିନ ପରେ ଶନିବାର ସନ୍ଧ୍ୟାରେ ଏ ନେଇ ଟାଉନ ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ଟାଉନ ଥାନା ପୋଲିସ ଶନିବାର ରାତିରେ ମାମଲା(ନଂ.୨୬୨/୧୯) ରୁଜୁ କରି ଅଭିଯୁକ୍ତ ଟୁବୁଙ୍କୁ ଆଣି ଅଟକ ରଖିଥିଲା। ରବିବାର ପୋଲିସ ତାଙ୍କୁ ଘଟଣାସ୍ଥଳକୁ ସାଙ୍ଗରେ ନେଇ ତଦନ୍ତ କରିଥିଲା। ରବିବାର ମାଜିଷ୍ଟ୍ରେଟ୍‌ ନ ରହିବା ଯୋଗୁ ମାଟି ତଳୁ ମୃତଦେହ ଖୋଳାଯାଇ ପାରି ନ ଥିଲା। ସୀମା ନିର୍ଦ୍ଧାରଣ ପାଇଁ ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଅଞ୍ଚଳ ଗ୍ରାମାଞ୍ଚଳ ଥାନା ଅଧୀନରେ ଯାଉଥିବା ସ୍ଥିର ହୋଇଥିଲା। ଏହାପରେ ଗ୍ରାମାଞ୍ଚଳ ଥାନାଧିକାରୀ ପ୍ରଭାଂସୁ ମିଶ୍ର ଟାଉନ ଥାନାରେ ଅଟକ ଥିବା ଟୁବୁଙ୍କୁ ହତ୍ୟା ମାମଲାରେ ଗିରଫ କରିଛି। ଏ ନେଇ ଗ୍ରାମାଞ୍ଚଳ ଥାନାରେ ମାମଲା(ନଂ.୪୮୨/୧୯) ରୁଜୁ ହୋଇଛି। ସୋମବାର ମାଟି ଖୋଳି ଶିଶୁପୁତ୍ରର ମୃତଦେହ ବାହାର କରାଯାଇ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଟୁବୁ ମଦ୍ୟପାନ କରି ଘରେ କଳହ କରୁଥିଲେ। ଗତ ୩୦ ତାରିଖ ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଟୁବୁ ତାଙ୍କ ଦେଢ଼ମାସର ଶିଶୁପୁତ୍ରକୁ ନେଇ ଘରେ ତାଲା ପକାଇ ଶୋଇଥିଲେ। ନନ୍ଦିନୀଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ। ତେଣୁ ସେ ଦୁଇଝିଅଙ୍କୁ ଧରି ବାରଣ୍ଡାରେ ଶୋଇଥିଲେ। ମାତ୍ର ଅନେକ ସମୟ ଧରି ପୁଅର ପାଟି ନ ଶୁଭିବାରୁ ନନ୍ଦିନୀ କବାଟ ବାଡ଼େଇବା ପରେ ଟୁବୁ ଖୋଲିଥିଲେ। ସେତେବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା। ଦୁହେଁ ବୁଝାମଣା ଭିତ୍ତିରେ ଘର ନିକଟରେ ଗାତ ଖୋଳି ପୁଅର ମୃତଦେହକୁ ପୋତି ଦେଇଥିଲେ। ହେଲେ ଗତ ଶନିବାର ଟୁବୁ ତାଙ୍କୁ ପିଟିବାରୁ ସେ ଥାନାରେ ଏତଲା ଦେଇଛନ୍ତି।