ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ଜି.ଉଦୟଗିରି ପୋଲିସ ନଂ. ୧୩୧/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ପ୍ରକାଶ ଯେ,୨୦୧୮ ଫେବୃୟାରୀ ୧ରେ କୁମ୍ଭାରକୁପା ଗ୍ରାମର ନାବାଳିକା (୧୭)ଙ୍କ ମୃତଦେହ ନିଜ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାପା ମା’ଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଥିଲା। ଏହାକୁ ଆତ୍ମହତ୍ୟା ସନ୍ଦେହ କରି ସେତେବେଳେ ପରିବାର ଲୋକେ ଖ୍ରୀଷ୍ଟିୟ ରୀତିରେ ମୃତଦେହକୁ କବର ଦେଇଥିଲେ। କିନ୍ତୁ ଝିଅକୁ ନିଜ ଜ୍ୱାଇଁ (ବଡ଼ ଝିଅର ସ୍ବାମୀ) ହତ୍ୟା କରିଥିବା ସନ୍ଦେହ କରି ୨୦୧୮ ମାର୍ଚ୍ଚରେ ବାପା ମାନବାଧିକାର କମିଶନରଙ୍କୁ ଜଣାଇଥିଲେ। କମିଶନର ଓ କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରାଯାଇଥିଲା। କିନ୍ତୁ ଏଥିରେ ବାପା ସନ୍ତୁଷ୍ଟ ନ ହୋଇ ପୁଣି ମାନବାଧିକାର କମିଶନ ଏବଂ କନ୍ଧମାଳ ଏସ୍‌ପିଙ୍କୁ ଭେଟିଲା ପରେ ତାଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ସୋମବାର ଅତିରିକ୍ତ ତହସିଲଦାର ରାକେଶ କୁମାର ପାତ୍ରଙ୍କ ଉପସ୍ଥିତିରେ କବର ଖୋଳି କଙ୍କାଳ ଉଦ୍ଧାର କରାଯାଇଥିଲା। କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ହସ୍ପିଟାଲ ଫୋରେନସିକ୍‌ ବିଭାଗକୁ ପଠାଯାଇଛି ବୋଲି ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା ଓ ଆଇଆଇସି ଧିରଜ କୁମାର ଲେଙ୍କା କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି।

Share