ଦେଢ କି.ମି. ଚାଲି ଚାଲି ଗଲେ ଗର୍ଭବତୀ

ରାଇସୁଆଁ,୨୦।୯(ଡି.ଏନ.ଏ.)- ଗାଁକୁ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଘରଠାରୁ ଦେଢ କି.ମି. ରାସ୍ତା ଚଳାଇ ଚଲାଇ ଆମ୍ବୁଲାନ୍ସ ଯାଏ ଅଣାଯିବା ପରେ ସେଠାରୁ ଡାକ୍ତରଖାନା ପଠାଯିବା ଘଟଣା ପଦାକୁ ଆସିଛି। ଗର୍ଭବତୀ ଓ ପ୍ରସୂତିଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସକାଶେ ସରକାର ଜନନୀ ସୁରକ୍ଷା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ହେଲେ ବ୍ୟବସ୍ଥାଗତ ତ୍ରୁଟି ଓ ଆମ୍ବୁଲାନ୍ସ ସେବା ନ ପହଞ୍ଚିବା କାରଣରୁ ଏହି ଯୋଜନା ଦୁର୍ଗମ ଅଞ୍ଚଳବାସୀଙ୍କ ଲାଗି ଆଜି ବି ଅପହଞ୍ଚ ହୋଇ ରହିଛି।
କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅନେକ ଗ୍ରାମକୁ ଆଜିଯାଏ ପକା ରାସ୍ତା ହୋଇ ପାରି ନାହିଁ। ଫଳରେ ବର୍ଷା ଦିନେ ଲୋକେ ନାହିଁ ନଥିବା ହଇରାଣ ହୋଇ ଯାତାୟାତ କରୁଛନ୍ତି।  ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ରୁଗୁଡି ସାହିରେ ନଳିତ ମୁଣ୍ଡା ନାମ୍ନୀ ଜଣେ ମହିଳା ଗର୍ଭକଷ୍ଟ ପାଇବାରୁ ପରିବାର ଲୋକେ ଆଶା କର୍ମୀ ଓ ଆମ୍ବୁଲାନ୍ସକୁ ଡକାଇଥିଲେ । ଡାକ୍ତରଖାନାରୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁକୁ ଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଏହା ଗାଁ ମୁଣ୍ଡଯାଏ ଆସି ପାରି ନ ଥିଲା । ରୁଗୁଡି ସାହିଠାରୁ ଦେଢ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଏହାପରେ ପରିବାର ଲୋକେ ନାଚାର ହୋଇ ଗର୍ଭବତୀଙ୍କୁ ଘରଠାରୁ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିଥଲେ । ଏପରି ଘଟଣା ଏହି ଅଞ୍ଚଳ ଲାଗି କିଛି ନୂଆ କଥା ନୁହେଁ। ରାସ୍ତା ସୁବିଧା ନ ଥିବାରୁ ଜରୁରୀ ଚିକିତ୍ସା ଲାଗି ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମକୁ ତୁରନ୍ତ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।