ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ ଅଗାଧାଡିର ଯୋଦ୍ଧା ସାଜିଛନ୍ତି। ଆଉ ଏବେ ତାଙ୍କ କାମକୁ ପରିବାର ଓ ପଡୋଶୀ ଖୁବ୍‌ ପ୍ରଶଂସା ମଧ୍ୟ କରୁନ୍ତି। ଖାକି ପୋଷାକ ସହ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧି ଏବେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି ୨୬ ବର୍ଷୀୟା କନଷ୍ଟେବଳ ମୌସମ ଯାଦବ। ମେହରଉଲି ନିକଟ ଅହିଂସା ସ୍ଥଳରେ ସେ ଡ୍ୟୁଟି କରୁଛନ୍ତି। ଘରେ ମାତ୍ର ଦେଢ ବର୍ଷର ଶିଶୁକୁ ଛାଡି ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି। କରୋନା ଭାଇରସ ପାଇଁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଏବେ ପୋଲିସ ଦିନରାତି ରାଜ ରାସ୍ତାରେ ଜଗି ରହିଛି। କେହି ଯେମିତି ଆବଶ୍ୟକ ନ ଥାଇ ଘରୁ ନ ବାହାରୁ ତାହା ଉପରେ ରହିଛି ସେମାନଙ୍କର ନଜର। ପ୍ରଥମେ ପ୍ରଥମେ ମୌସମଙ୍କୁ ତାଙ୍କ ଘର ଲୋକେ ଛୁଟିନେଇ ଘରେ ରହିବାକୁ କହିଥିଲେ। ହେଲେ ମୌସମ କହିଥିଲେ, ମୁଁ ଖାକି ପିନ୍ଧିଛି ଲୋକଙ୍କ ସେବା କରିବାକୁ, ସେହି ସେବା ମୁଁ ଏବେ କରିବି ନାହିଁ ତ କେବେ କରିବି। ମୌସମଙ୍କ ସ୍ବାମୀ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଲକ୍‌ଡାଉନ ପରଠାରୁ ସେ ଘରେ ରହି କାମ କରୁଛନ୍ତି। ଫଳରେ ସେ ତାଙ୍କ ପିଲାର ଦେଖାରଖା ମଧ୍ୟ କରିପାରୁଛନ୍ତି। ଆଉ ଏବେ ମୌସମ ତାଙ୍କ କର୍ତ୍ତବ୍ୟ କରୁଥିବାରୁ ତାଙ୍କ ପ୍ରତି ପରିବାର ଲୋକଙ୍କର ଯେଉଁ ଭାବନା ଥିଲା ତାହା ପରିବର୍ତ୍ତନ ହୋଇଯାଇଛି ବୋଲି ସେ କୁହନ୍ତି।

Share