Advertisement

ଦେବଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ଗାଁ ସିଲ୍‌

ଦେବଗଡ,୨୯ା୪(ଡି.ଏନ.ଏ): ଦେବଗଡ ଜିଲା ତିଲେଇବଣି ବ୍ଲକ ବଲଣ୍ଡା ପଞ୍ଚାୟତ ଅଧୀନ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବାସୁଦେବପୁର ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି ା ଏଥିସହ ସମସ୍ତ ୩ଟି ଯାକ ରାସ୍ତାକଡରେ ପୋଲିସ ପକ୍ଷରୁ କ୍ୟାମ୍ପ କରାଯାଇଛି। ବାହାରକୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ୨୭ ତାରିଖରେ ଦେବଗଡ ଜିଲାରୁ ମୋଟ ୬୩ଟି ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୫୯ଟି ନମୁନା ନେଗେଟିଭ ବାହାରିଥିଲା ା ଅବଶିଷ୍ଟ ୪ଟି ନମୁନା ମଧ୍ୟରୁ ବୁଧବାର ଗୋଟିଏ ନମୁନା ପଜିଟିଭ ବାହାରିଥିବା ବେଳେ ଅନ୍ୟ ୩ଟି ନେଗେଟିଭ ବାହାରିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି ା
ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଜଣକ ପଶ୍ଚିମବଙ୍ଗରେ ଜଣେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ପୂର୍ବେ ସେ ପଶ୍ଚିମବଙ୍ଗରୁ ନିଜ ଗ୍ରାମ ବାସୁଦେବପୁରକୁ ଫେରିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନିଜର ନାମ ପଞ୍ଜୀକୃତ କରିବା ପରେ ତାଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା ା ଏଥିସହ ତାଙ୍କୁ ହୋମ କରେଣ୍ଟାଇନରେ ରହିବାପାଇଁ ପରାମର୍ଶ ଦିଆଯାଇଥିଲା ା ବୁଧବାର ତାଙ୍କର ନମୁନା ପଜିଟିଭ ଥିବା ଜଣାପଡିବାପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ବସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ହାଇଟେକ ମେଡିକାଲକୁ ପଠାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel