ଦେବଗଡ଼ରୁ ବାଘ ଛାଲ ଜବତ ଘଟଣା: ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା ଏନ୍‌ଟିସିଏ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବଗଡ଼ ଜିଲାରୁ ଜବତ ହୋଇଥିବା କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି, ତା’ର ଏକ ବିସ୍ତୃତ ରିପୋର୍ଟ ଦେବାକୁ ସୋମବାର ଏନ୍‌ଟିସିଏ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଦେବଗଡ଼ ଜିଲାରୁ ୭ ଫୁଟର ଏକ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଜେଲ୍‌ ବିଭାଗ କର୍ମଚାରୀଙ୍କ ପୁଅ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ଶଚିକାନ୍ତ ନାୟକ। ରମଣୀସେନ ଏହି ମାମଲାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ରାଉରକେଲାରେ ବାଘ ଛାଲ ବିକ୍ରି କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

Share