ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡିଛି। ଫଳରେ ଦେବଗଡ଼ ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଏଥିଯୋଗୁ ଦେବଗଡ଼ ରାଜପ୍ରାସାଦର ଏକ ଟିଣ ଛପର ଉଡିଯାଇ ରାଜ ପ୍ରସାଦ ପରିସରରେ ଥିବା ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ପଡିଥିଲା। ଫଳରେ ୱେସ୍କୋ କାର୍ଯ୍ୟାଳୟର ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ସେହିପରି ଦେବଗଡ଼ ପୌରାଞ୍ଚଳର ପ୍ରଧାନପାଟ ରୋଡ, ଗଣେଶ ଛକ, ପୁରୁଣାଗଡ, ନୀଳବେର୍ଣ୍ଣୀ ସାହି ଅଞ୍ଚଳରେ ମଧ୍ୟ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ବଜ୍ରପାତରେ ତିଲେଇବଣି ବ୍ଲକ ଟାଇଁସର ପଞ୍ଚାୟତ କୋରଡ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦର ମୃତ୍ୟୁ ଘଟିଛି।