ଦେବସ୍ନାନ ଅବ୍ୟବହିତ ପୂର୍ବରୁ ଲାଗୁହେବ ୧୪୪ ଧାରା: ସମୀକ୍ଷା କଲେ କଟକ ଉପଜିଲାପାଳ

ନିଶ୍ଚିନ୍ତକୋଇଲି,୩୦ା୫(ସ୍ବ.ପ୍ର.): ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବ। ଏହି ଅବସରରେ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି। ଏନେଇ ପ୍ରଶାସନିକ ବୈଠକ ହେବା ପରେ ପୀଠର ଚତୁଃପାର୍ଶ୍ୱକୁ ଘେରାବନ୍ଦୀ କରିବା ସହ ଜୁନ୍‌ ୧ ତାରିଖ ସକାଳୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଇବା ପାଇଁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁ ଭକ୍ତମାନେ ପୀଠକୁ ନ ଆସି ନିଜ ଘରେ ପୂଜାର୍ଚ୍ଚନା କରିପାରିବେ। ମହାପୁରୁଷଙ୍କ ପୀଠର ଚତୁଃପାର୍ଶ୍ୱରେ ଥିବା ଦେବଦେବୀ ମନ୍ଦିରରେ ମଧ୍ୟ ପାରମ୍ପରିକ ପୂଜା ପାଇଁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସେବାକାରୀମାନଙ୍କୁ ନିଜ ନିଜ ସେବା ପାଇଁ ବିଭକ୍ତି କରଣ କରାଯାଇଛି ଓ ପର୍ଯ୍ୟାୟକ୍ରମେ ସେବା କରିବା ପାଇଁ ଅନୁମତି ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ପ୍ରଭୁଙ୍କର ନୀତିକ୍ରାନ୍ତି ସମାପନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୀଠରେ ସେବାୟତ ଓ ବିଭିନ୍ନ ନିଯୋଗର ସେବକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ପୀଠକୁ ଯାଇ ଇତିମଧ୍ୟରେ ସମୀକ୍ଷା କରି ଫେରିଛନ୍ତି। ତହସିଲଦାର ଜିତେନ୍ଦ୍ର ପାତ୍ର, ଥାନାଧିକାରୀ ନିହାର ମହାନ୍ତି ପ୍ରମୁଖ ପୀଠ ଉପରେ କଡ଼ା ନଜର ରଖିଛନ୍ତି। ତେବେ କରୋନା ମହାମାରୀ ପାଇଁ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତ ଓ ଭଗବାନଙ୍କର ମିଳନ ଉପରେ ପୂର୍ଣ୍ଣଛେଦ ପଡ଼ିଛି।

Share