Categories: ଖେଳ

ଦେବାଙ୍ଗ ଗାନ୍ଧୀଙ୍କୁ ଡ୍ରେସିଂରୁମ୍‌ରୁ ବାହାର କରିଦିଆଗଲା

କୋଲକାତା, ୨୭ା୧୨ (ପି.ଟି.)-ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍‌ ଭଙ୍ଗ କରିଥିବା କାରଣ ଦର୍ଶାଇ ତାଙ୍କୁ ବେଙ୍ଗଲ ରଣଜୀ ଟିମ୍‌ ଡ୍ରେସିଂ ରୁମ୍‌ରୁ ବିଦା କରିଦିଆଯାଇଥିଲା। ଗୁରୁବାର ଆନ୍ଧ୍ର-ବେଙ୍ଗଲ ରଣଜୀ ଟ୍ରଫି ମ୍ୟାଚର ଦ୍ୱିତୀୟ ଦିବସରେ ଏହି ଘଟଣା ଘଟିଛି। ଖରାପ ଆଲୁଅ ଯୋଗୁ ଖେଳ ଅଟକି ଥିବାବେଳେ ଗାନ୍ଧୀ ଡ୍ରେସିଂ ରୁମ୍‌ରେ ପ୍ରବେଶ କରି ଫିଜିଓଙ୍କୁ ଖୋଜିଥିଲେ। ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀଙ୍କ ଅଭିଯୋଗକ୍ରମେ ବିସିସିଆଇର ଦୁର୍ନୀତି ନିରୋଧୀ ଅଫିସିଆଲ ସୋମେନ କର୍ମାକାର ଗାନ୍ଧୀଙ୍କୁ ଡ୍ରେସିଂରୁମ୍‌ ଛାଡ଼ି ଚାଲିଯିବା ଲାଗି କହିଥିଲେ। ଦୁର୍ନୀତି ନିରୋଧୀ ପ୍ରୋଟୋକଲ ଅନୁସାରେ ଡ୍ରେସିଂରୁମ୍‌ରେ କେବଳ ଖେଳାଳି ଏବଂ ସହାୟକ ଷ୍ଟାଫ୍‌ ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିପାରିବେ। ଜଣେ ଜାତୀୟ ଚୟନକର୍ତ୍ତା ଅନଧିକାର ଡ୍ରେସିଂରେ ପ୍ରବେଶ କରିପାରିବେ ନାହିଁ। ଗାନ୍ଧୀ କହିଛନ୍ତି, ମୁଁ ପ୍ରତ୍ୟେକ ପ୍ରୋଟୋକଲ ଅନୁସରଣ କରିଛି। ଡ୍ରେସିଂରୁମ୍‌ରେ ପ୍ରବେଶ ପୂର୍ବରୁ ଦୁର୍ନୀତି ନିରୋଧୀ ଅଫିସିଆଲଙ୍କ ଅନୁମତି ନେଇଛି। ବେଙ୍ଗଲ କୋଚ୍‌ ଅରୁଣ ଲାଲ୍‌ ମୋର ପ୍ରଥମ ଅଧିନାୟକ ଥିଲେ ତାଙ୍କ ଆମନ୍ତ୍ରଣକ୍ରମେ ମୁଁ ଡ୍ରେସିଂ ରୁମ୍‌କୁ ଯାଇଥିଲି। ମେଡିକାଲ ରୁମ୍‌କୁ ଆସିବା ଲାଗି ମୁଁ ବେଙ୍ଗଲ ଫିଜିଓଙ୍କୁ କହିଥିଲି। ପୂର୍ବାଞ୍ଚଳ ଚୟନକର୍ତ୍ତା କହିଛନ୍ତି, ତିଓ୍ବାରୀ କେତୋଟି ରଣଜୀ ସିଜନ ତାଙ୍କ ଅଧୀନରେ ଖେଳିଛନ୍ତି। ସେ ଏଭଳି କିଛି କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ତାଙ୍କୁ ଦଳରୁ ବିଦାହେବାକୁ ପଡ଼ିଥିଲା। କିନ୍ତୁ ଏହାପଛରେ ମୋର କୌଣସି ହାତ ନ ଥିଲା। ମନୋଜ ବୋଧହୁଏ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥାଇ ପାରନ୍ତି। କିନ୍ତୁ ତିଓ୍ବାରୀ ଯୁବ ଖେଳାଳିଙ୍କ ଲାଗି ଭଲ ପରମ୍ପରା ସୃଷ୍ଟି କଲେ ନାହିଁ। ଖବର ଅନୁସାରେ ଏବିଷୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନିକଟରେ ରିପୋର୍ଟ କରାଯିବ। ସୂର୍ଯ୍ୟୋପରାଗ ପାଇଁ ଖରାପ ଆଲୋକ ଯୋଗୁ ପ୍ରଥମ ସେସନ ଖେଳ ଦୁଇଥର ସ୍ଥଗିତ ରଖିବାକୁ ପଡ଼ିଥିଲା। ବେଙ୍ଗଲର ପ୍ରଥମ ଇନିଂସ ୨୮୯ରେ ସୀମିତ ହୋଇଯାଇଥିଲା।

Share