ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ

କାକଟପୁର,୧୧।୯(ଡି.ଏନ୍‌.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି। ଏଣୁ ନଦୀ ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ନଦୀର ବାଉରିଆକଣଠାରେ ବିପଦ ସଙ୍କେତ ସ୍ତର ୪.୯୩ମିଟର ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ୪.୪୫ମିଟର ରହିଥିବା କାକଟପୁର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ କହିଛନ୍ତି। ଏହାକୁ ନେଇ କାକଟପୁର ଜଳସେଚନ ଉପକଣ୍ଠ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାଉରିଆକଣ, ଷାଠିିବୋଟି, ଅସନ ପ୍ରଭୃତି ସ୍ଥାନରେ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଥିବା ବେଳେ ସମ୍ବେଦନଶୀଳ ବନ୍ଧ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଉପ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ କହିଛନ୍ତି। ତେବେ ଆଗକୁ ଅମାବାସ୍ୟା ତିଥି ଥିବାରୁ ସମୁଦ୍ର ଅଶାନ୍ତ ରହିପାରେ। ଏପରିସ୍ଥଳେ ଯଦି ହିରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ଶନିବାର ପର୍ଯ୍ୟନ୍ତ ଜାରି ରହିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା କରାଯାଉଛି। ଏବେ କୌଣସି ସମସ୍ୟା ନାହିଁ। ଜରୁରୀ ପରିସ୍ଥିତି ପାଇଁ ବାଲିବସ୍ତା, ବଲ୍ଲା ଆଦି ମହଜୁଦ ରଖାଯାଇଥିବା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି।

Share