ଦେବୀ ନଦୀରେ ବନ୍ୟାଜଳ :ବାଉରିଆକଣରେ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ, ଲୋକେ ଆତଙ୍କିତ

କାକଟପୁର,୧୫ା୮(ଡି.ଏନ୍‌.ଏ.): ଦେବୀ ନଦୀରେ ବନ୍ୟାଜଳ ବୁଧବାରଠାରୁ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗୁରୁବାର ପ୍ରାୟ ୨ଟାରେ ବନ୍ୟାଜଳ ବାଉରିଆକଣଠାରେ ବିପଦସଙ୍କେତ ଟପି ପ୍ରବାହିତ ହେଉଥିବାରୁ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଉରିଆକଣଠାରେ ବିପଦସଙ୍କେତସ୍ତର ୪.୯୩ ମିଟର ରହିଥିବାବେଳେ ଏଠାରେ ବନ୍ୟାଜଳ ୫.୨୦ ମିଟରରେ ପ୍ରବାହିତ ହେଉଥିବା ଜଣାପଡ଼ିଛି। ଗୁରୁବାର ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ର ଅଶାନ୍ତ ରହିଛି। ଦେବୀନଦୀ ମୁହାଣଠାରେ ବନ୍ୟାଜନ ଠିକ୍‌ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁ ନାହିଁ। ଅପରପକ୍ଷରେ ଉପରମୁଣ୍ଡରେ ଅଧିକ ବର୍ଷା କାରଣରୁ ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ ଖୋଲାଯାଇଛି।
ଏଣୁ ଦେବୀନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ ବିଶ୍ୱାଳ, କନିଷ୍ଠଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ନଦୀବନ୍ଧର ଦୁର୍ବଳସ୍ଥାନ ବୁଲି ଦେଖିବା ସହିତ ବାଲିବସ୍ତା, ବଲ୍ଲା ପ୍ରଭୃତି ମହଜୁଦରଖି ପାଟ୍ରୋଲିଂ ଜାରି ରଖିଛନ୍ତି। ବନ୍ୟା ଜଳ ନଦୀ ଦେଇ ସମୁଦ୍ରକୁ ଯେପରି ସୁଚାରୁରୂପେ ପ୍ରବାହିତ ହୋଇଯିବ ସେ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଉପନିର୍ବାହୀଯନ୍ତ୍ରୀ କହିଛନ୍ତି। ତେବେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି।