Categories: ରାଜ୍ୟ

ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା

ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ରାତି ହେବା ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା । ସୂଚନାଯୋଗ୍ୟ, ଗୋଟିଏ ଦିନରେ ଏକାଦଶୀ ଓ ବାହୁଡ଼ା ପଡ଼ୁଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଗୁଣ୍ଡିଚା ମନ୍ଦିରରେ ପ୍ରଭାତ ସମୟରୁ ଅବକାଶ, ବଲ୍ଲଭ, ସକାଳ ଧୂପ ଆଦି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହୋଇଥିଲା । ତେବେ ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଅପରାହ୍ନ ୫ଟା ପରେ ଘଣ୍ଟଘଣ୍ଟା, କାହାଳୀ, ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜାପଣ୍ଡାମାନେ ତିନି ଠାକୁରଙ୍କୁ ରଥ ଉପରେ ବିରାଜ କରାଇଥିଲେ । ଛେରାପହଁରା ପାଇଁ ଦେବୋତ୍ତର ବିଭାଗ କର୍ମକର୍ତ୍ତା ଏବଂ ପୂଜାପଣ୍ଡା ରଣପୁର ରାଜା ଦିଲୀପ କୁମାର ସିଂଦେଓଙ୍କୁ ନିମନ୍ତ୍ରଣ କରିଥିଲେ । ମଧ୍ୟାହ୍ନ ୧୨ଟାରେ ଛେରାପହଁରା ହେବାକୁ ଥିବାବେଳେ ରାତ୍ର ୭ଟାରେ ୩ ରଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିୟମାନୁସାରେ ସନ୍ଧ୍ୟାବେଳେ ସାଧାରଣ ବାସଗୃହରେ ମଧ୍ୟ ମହିଳାମାନେ ଝାଡୁ ମାରୁ ନ ଥିବାବେଳେ ରଥରେ ଏଭଳି ଏକ ନୀତି ବିରୋଧ ସମୟରେ କିଭଳି ଛେରାପହଁରା କରାଯାଇପାରିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଛେରାପହଁରା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ ଅପରାହ୍ନ ୨ଟାରେ ରଥଟଣା କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏଥିରୁ କିଭଳି ବ୍ୟତିକ୍ରମ ଘଟିଥିଲା ସେଥିପାଇଁ ପରିଚାଳନା ବ୍ୟବସ୍ଥାକୁ ଅନେକ ଦାୟୀ କରିଥିଲେ। ହଜାର ହଜାର ଭକ୍ତ ରଥ ଟାଣିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାବେଳେ ବିଳମ୍ବ ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିବାରୁ ନିରାଶ ହୋଇ ଫେରିଥିଲେ।

Share