Categories: ଜାତୀୟ

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଶର୍ଜିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ,୨୯।୧: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶର୍ଜିଲ ଇମାମଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ବୁଧବାର ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଶର୍ଜିଲଙ୍କୁ ସାକେତ କୋର୍ଟରେ ହାଜର କରିଥିଲେ। ତାଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ ପୋଲିସ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ତେବେ ତାଙ୍କୁ ପଚାରାଉଚରା ପାଇଁ ଅନ୍ୟ ରାଜ୍ୟର ପୋଲିସ ଦିଲ୍ଲୀ ଆସିପାରେ ବୋଲି ଡିସିପି ରାଜେଶ ଦେବ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ବୁଧବାର ସକାଳେ ବିହାର ଜେହାନାବାଦରୁ ଗିରଫ କରି ଶର୍ଜିଲଙ୍କୁ ପାଟନାରୁ ଦିଲ୍ଲୀକୁ ଅଣାଯାଇଥିଲା। ଗିରଫଦାରି ପରେ ମଙ୍ଗଳବାର ଜେହାନାବାଦ କୋର୍ଟରୁ ଦିଲ୍ଲୀ ପୋଲିସ ତାଙ୍କୁ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ନେଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀର ସାହିନବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର ଶର୍ଜିଲ ସେଠାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ୬ରାଜ୍ୟର ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି।

Share