‘ଦେଶପ୍ରେମର ଅଲିଭା ଦୀପ ବାଘାଯତୀନ’

ବାଲେଶ୍ୱର ଅଫିସ,୧୧।୯-ଭାରତକୁ ସ୍ବାଧୀନତା ମିଳିବାରେ ଅହିଂସା ଆନ୍ଦୋଳନ ସହିତ ସଶସ୍ତ୍ର ଆନ୍ଦୋଳନର ଭୂମିକା କିଛି କମ୍‌ ନ ଥିଲା। ଏଥିପାଇଁ ମାତୃଭୂମିର ବହୁ ବୀରପୁତ୍ର ପ୍ରାଣବଳି ଦେଇଛନ୍ତି। ବିପ୍ଲବୀ, କ୍ରାନ୍ତିବୀର ବାଘାଯତୀନ ସେହିଭଳି ଦେଶପ୍ରେମର ଏକ ଅଲିଭା ଦୀପ। ନେତାଜୀଙ୍କ ଭଳି ସେ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ଜଣେ ପ୍ରମୁଖ କର୍ଣ୍ଣଧାର ଥିଲେ ବୋଲି ବାଘାଯତୀନଙ୍କ ୧୦୪ତମ ଶହୀଦ ଦିବସରେ ଅତିଥିମାନେ ମତ ଦେଇଛନ୍ତି।
ମଙ୍ଗଳବାର ଥିଲା ଶହୀଦ ବାଘାଯତୀନଙ୍କ ୧୦୪ତମ ବଳିଦାନ ଦିବସ ପାଳନର ଦ୍ୱିତୀୟ ଦିନ। ବାଘାଯତୀନ ଡେଭେଲପ୍‌ମେଣ୍ଟ କମିଟି ପକ୍ଷରୁ ପୂର୍ବାହ୍ନରେ ବାରବାଟୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ଦେ ପୌରୋହିତ୍ୟ କରିଥିଲେ। ସମ୍ପାଦକ ହରେନ୍‌ ରଣା ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାର ଯୁବପିଢ଼ି ବାଘାଯତୀନଙ୍କ ଭଳି ଦେଶପ୍ରେମରେ ପ୍ରଭାବିତ ହୋଇ ଭାରତଭୂମିକୁ ଅଖଣ୍ଡ ରଖିବା ଲାଗି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସାମାଜିକ କର୍ମୀ ସୁବାସିନୀ ଜେନା, କମିଟିର ପ୍ରତିଷ୍ଠାତା ସଦସ୍ୟ ଶରତ ଦାସ, ପଶ୍ଚିମବଙ୍ଗ ଆମତ୍ ଉତ୍ସର୍ଗ କମିଟିର ସମ୍ପାଦକ ପ୍ରଫେସର ରାଜୀବ ବାନାର୍ଜୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ, ଜିଲା ସାଂସ୍କୃତିକ ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ, ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନିଗ୍ଧା ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ କ୍ରାନ୍ତିବୀର ବାଘାଯତୀନଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପତାକା ଉତ୍ତୋଳନ, ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ୧୦୪ଟି ଦୀପ ପ୍ରଜ୍ୱଳିତ କରାଯାଇଥିଲା। ପଶ୍ଚିମବଙ୍ଗ ଆମତ୍ ଉତ୍ସର୍ଗ କମିଟି (ତୀର୍ଥଯାତ୍ରୀ)ରୁ ଆସିଥିବା ୩୧ଜଣ ସଦସ୍ୟ ଶହୀଦ ବାଘାଯତୀନଙ୍କ ଆମତ୍ଜୀବନୀ ଗାଥା ବର୍ଣ୍ଣନା କରିଥିଲେ। ଏହି ତୀର୍ଥଯାତ୍ରୀ ରେମୁଣା ବ୍ଲକ ଚଷାଖଣ୍ଡସ୍ଥିତ ଦେଶୁଆଁପୋଖରୀ ନିକଟରେ ଏକତ୍ରିତ ହୋଇ ସେଠାରେ ବାଘାଯତୀନ ଓ ତାଙ୍କ ୪ଜଣ ସାଥିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆୟୋଜିତ ଉତ୍ସବରେ ଭାଗ ନେଇଥିଲେ।