ଦେଶରେ ଉଗ୍ର ସ୍ଥିତି

ନୂଆଦିଲ୍ଲୀ,୨୨ା୫: ଭାରତରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୫ ହଜାର ୨୭୭ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଗୁରୁବାର ସୁଦ୍ଧା ମୃତ୍ୟୁସଂଖ୍ୟା ୩,୪୯୩କୁ ବୃଦ୍ଧିପାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୭ ହଜାର ରୋଗୀ ସୁସ୍ଥହୋଇ ଘରକୁ ଫେରିଥିଲେ ସୁଦ୍ଧା ପ୍ରବାସୀଙ୍କ ଆଗମନ ଯୋଗୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
କେବଳ ମହାରାଷ୍ଟ୍ରରେ ୩୯, ୨୯୭ ସଂକ୍ରମିତ ରହିଥିବାବେଳେ ୧,୩୯୦ ଜଣଙ୍କ ଜୀବନ ଗଲାଣି। ଦୁଇ ନମ୍ବରରେ ଥିବା ତାମିଲନାଡ଼ୁରେ ୧୩,୯୬୭ ସଂକ୍ରମିତ ଥିବାବେଳେ ପ୍ରାଣ ହରାଇଲେଣି ୯୫। ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୭୬ ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟରେ ୧୨, ୯୧୦ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୭୭୩ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଦିଲ୍ଲୀରେ ୧୧,୬୫୯, ମଧ୍ୟପ୍ରଦେଶରେ ୫,୯୮୧, ରାଜସ୍ଥାନରେ ୬,୧୫୪, ଉତ୍ତରପ୍ରଦେଶରେ ୫,୩୫୬, ପଶ୍ଚିମବଙ୍ଗରେ ୩,୧୦୩, ଆନ୍ଧ୍ରପ୍ରଦେଶରେ ୨,୬୦୫ ସଂକ୍ରମିତ ଥିବା ଜଣାପଡ଼ିଛି। ଏହିସବୁ ରାଜ୍ୟରେ ଯଥାକ୍ରମେ ୧୯୪, ୨୭୧, ୧୫୦, ୧୨୭, ୨୫୩, ୫୪ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏକାଧିକ ନୂଆ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି। ଔଷଧ ନ ବାହାରିବା କାରଣରୁ ଲୋକଙ୍କ ମଧ୍ୟରେ ଏନେଇ ଆତଙ୍କ ଖେଳିଯାଇଛି। କେବଳ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧିବା ଛଡ଼ା କରୋନାରୁ ବର୍ତ୍ତିବା ଲାଗି ଅନ୍ୟ କୌଣସି ଉପାୟ ନାହିଁ। ଏଥିଲାଗି ସରକାରୀ ଆଇନକୁ ମାନି ଲୋକମାନେ ଅଧିକ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି।

Share