ଦେଶରେ କରୋନା ନେଲାଣି ୩୫୮ ମୁଣ୍ଡ

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଗୋଟିକ ପରେ ଗୋଟିଏ ମୁଣ୍ଡ ନେଇ ଲାଗିଛି। ସୋମବାର ଦେଶରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦,୪୫୩ରେ ପହଞ୍ଚିଥିବାବେଳେ ୩୫୮ଜଣଙ୍କ ମୃତ୍ୟୁ ଘଟିଲାଣି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ତାଲିକାରେ ରହିଛିି ମହାରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୩୩୪ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧୬୦ ରହିଛି। ଗୋଟିଏ ଦିନରେ ଏଠି ୩୫୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧,୧୭୩ରେ ପହଞ୍ଚିଛି। ଏହି ରାଜ୍ୟରେ ୧୧ଜଣ ବ୍ୟକ୍ତି କରୋନା ଭୂତାଣୁରେ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୯୮ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଏହି ମହାମାରୀ ଭୂତାଣୁ ୧,୫୧୦ ଲୋକଙ୍କୁ କବଳିତ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮କୁ ଛୁଇଁଛି। ରାଜସ୍ଥାନରେ ଅଦ୍ୟାବଧି ୮୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏଠାରେ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ୫୦ ମୁଣ୍ଡ ଗଡ଼ିଲାଣି। ନୂଆ ୫୨ ସଂକ୍ରମିତଙ୍କୁ ମିଶାଇ ଏଠାରେ ମୋଟ ୬୧୪ ରୋଗୀ ରହିଥିବା ଜଣାପଡ଼ିଛି। ଗୁଜରାଟରେ ୫୭୨ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୨୬ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନାରେ ୫୯୨ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୭ ରହିଛି। ସେହିଭଳି କେରଳରେ ୨ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୭୮ରେ ପହଞ୍ଚିଛି। ଉତ୍ତରପ୍ରଦେଶରେ ୫୫୮ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୫ ରହିଛି। ଆନ୍ଧ୍ରପ୍ରଦେଶରେ ୪୩୯, କର୍ନାଟକରେ ୨୪୭, ଜମ୍ମୁ-କଶ୍ମୀରରେ ୨୭୦, ପଞ୍ଜାବରେ ୧୭୬, ହରିୟାଣାରେ ୧୯୬ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଲାଗି କୁହାଯାଇଛି। ତଥାପି କରୋନା ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି। ସଂକ୍ରମଣର ମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଯାହାକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ମଙ୍ଗଳବାର ଶେଷ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସମୟରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌କୁ ଆଉ କିଛିଦିନ ବୃଦ୍ଧି କରିପାରନ୍ତି ବୋଲି ଆଲୋଚନା ହେଉଛି।

Share