ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬,୬୫୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୩।୫: ଦେଶରେ ବେଳକୁ ବେଳ ଅଣାୟତ ହେଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୬୫୪ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୫,୧୦୧ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସକାଳ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩,୭୨୦ରେ ପହଞ୍ଚିଛି। ଏବେସୁଦ୍ଧା ୬୯,୫୯୭ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୫୧,୭୮୪ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ୪୪,୫୮୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାମିଲନାଡୁରେ ୧୪,୭୫୩, ଗୁଜରାଟରେ ୧୩,୨୬୮ ଓ ଦିଲ୍ଲୀରେ ୧୨,୩୧୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଲକ୍‌ଡାଉନ ୪.୦ ଚାଲିଥିବା ବେଳେ ଏହା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

Share