ଦେଶରେ ପ୍ରତିବର୍ଷ ୧୫ ଦିନ କରାଯାଉ ଲକ୍‌ଡାଉନ !

ନୂଆଦିଲ୍ଲୀ,୮।୫: କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ସଂକ୍ରମଣରେ ପାଖାପଖି ଅଢେଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହା ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦେଖି ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅଧିକାଂଶ ଲୋକେ ଘରେ ରହୁଥିବା ବେଳେ କଳକାରଖାନା ମଧ୍ୟ ବନ୍ଦ ରହିଛି। ତେବେ ଏହି ଲକ୍‌ଡାଉନ ସମୟରେ ସବୁଠାରୁ ବଡ ଲାଭ ହୋଇଛି ବାୟୁ ଓ ଜଳ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ କମ୍‌ ହୋଇଯାଇଛି। ବର୍ଷ ବର୍ଷ ଧରି ଯେଉଁ ଆକାଶ ସଫା ଦେଖାଯାଉ ନ ଥିଲା ତାହା ଏବେ ନିର୍ମଳ ଦେଖାଯାଉଛି। ଏହାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ବିଚାରପତି ପଦରୁ ଇସ୍ତଫା ଦେଇଥିବା ବିଚାରପତି ଦୀପକ ଗୁପ୍ତା କହିଛନ୍ତି ପ୍ରତିବର୍ଷ ଦେଶରେ ୧୫ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯିବା ଉଚିତ୍‌। କାରଣ ଗତ ୩୫ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଯାହା କରିପାରି ନ ଥିଲା ତାହା ଆଜି କୋଭିଡ-୧୯ କରିପାରିଛି ବୋଲି ସେ କହିଛନ୍ତି। ତେବେ ଏହା ପୂର୍ବରୁ ପରିବେଶ ପ୍ରଦୂଷଣକୁ ନେଇ ସରକାରଙ୍କ ଆନ୍ତରିକତା ଏତେଟା ନ ଥିବାରୁ ଏହା ସମ୍ଭବ ହୋଇ ପାରି ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି। ତେବେ ଆଜି ପରିବେଷ ପ୍ରଦୂଷଣ ଯେଉଁ ପରିମାଣରେ କମ୍‌ ହୋଇଛି ତାହା ଲକ୍‌ଡାଉନର ୧୫ ଦିନ ମଧ୍ୟରେ ଲକ୍ଷ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ତେଣୁ ପ୍ରତିବର୍ଷ ଦେଶରେ ୧୫ ଦିନିଆ ଲକ୍‌ଡାଉନ ଘୋଷଣା କରାଗଲେ ଭଲ ବୋଲି ବିଚାରପତି ମତ ରଖିଛନ୍ତି।

Share